ଏସ୍‌ପି ସାଗରିକା ନାଥଙ୍କ ବାପା-ମା’ଙ୍କୁ ବିଚ ରାସ୍ତାରେ ଅଟକାଇ ଲୁଟ ଉଦ୍ୟମ କଲେ ଦୁର୍ବୃତ୍ତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ରାଜଧାନୀରେ ଅପରାଧ ଉପରେ ରୋକ୍ ଲଗାଇବା ପାଇଁ କମିସନରେଟ ପୁଲିସ ‘ସେଫ୍‌ ସିଟି ଡ୍ରାଇଭ ଅଭିଯାନ ଆରମ୍ଭ କରିଛି। ପିଓପିଡି ଓ ଟିମ୍‌-୬୦ ବି ଗଠନ କରିଛି। କିନ୍ତୁ ଏହା ସତ୍ତ୍ବେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି।

ପ୍ରତିଦିନ ଘଟୁଥିବା ପୁଳାପୁଳା ଚୋରି, ଲୁଟ୍‌, ଛିନ୍‌ତାଇ, ରାହାଜାନି, ହତ୍ୟା ଉଦ୍ୟମ, ଅପହରଣ, ହତ୍ୟା ଭଳି ଆପରାଧିକ ଘଟଣା ତା’ର ନମୁନା। ଗଣମାଧ୍ୟମରେ ଏ ଖବର ଦେଖିଦେଖି ରାଜଧାନୀବାସୀଙ୍କ ବି ଦେହସୁହା ହୋଇଗଲାଣି। ଆଉ ସେମାନଙ୍କୁ କିଛି ନୂଆ ଲାଗୁନି। କିନ୍ତୁ ଅପରାଧୀଙ୍କ ବିରୋଧରେ ଠୋସ୍‌ ପଦକ୍ଷେପ ନ ନେବାର ପୁଲିସର ଏ ନିଷ୍କ୍ରିୟତା ଏବେ ପୁଲିସକୁ ମହଙ୍ଗା ପଡ଼ିଲାଣି।

ପୂର୍ବତନ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ତଥା ବର୍ତ୍ତମାନର ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ପରିବାର ଉପରେ ଗତକାଲି ହୋଇଥିବା ଆକ୍ରମଣ ହୋଇଛି। ମିଳିଥିବା ସୂଚନାନୁସାରେ, ଗତ ରାତିରେ ସାଗରିକାଙ୍କ ବାପା-ମା’ ଏକ କାର୍‌ରେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନ୍‌କ୍ଲେଭ୍‌ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ବାଇକ୍‌ରେ ପିଛା କରିବା ପରେ ଘାଟିକିଆସ୍ଥିତ ଏକ ନିର୍ଜନ ଅଞ୍ଚଳରେ ଅଟକାଇଥିଲେ। ଦୁର୍ବୃତ୍ତଦ୍ବୟ ସେମାନଙ୍କ କାର୍‌ ଆଗରେ ବାଇକ୍‌ ରଖି ଦେଇଥିଲେ। ପରେ ସେମାନେ କାର୍‌ରୁ ଦମ୍ପତିଙ୍କୁ ଓହ୍ଲାଇ ଟଣାଓଟରା କରିଥିଲେ। ପାଖରେ ଯାହା ଟଙ୍କା-ପଇସା, ମୋବାଇଲ୍‌ ଅଛି ଦେଇଦେବାକୁ ଧମକାଇଥିଲେ। କିନ୍ତୁ ସାଗରିକାଙ୍କ ବାପା ଦୁର୍ବୃତ୍ତମାନଙ୍କୁ ବାଧା ଦେବାରୁ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ରାଗରେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ। ପାଟି ଶୁଣି କିଛି ସ୍ଥାନୀୟ ଲୋକ ପହଞ୍ଚି ଯିବାରୁ ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସେଠାରୁ ବାଇକ୍‌ ଛାଡ଼ି ଚମ୍ପଟ ମାରିଥିଲେ। ଖବର ପାଇ ଭରତପୁର ଥାନା ପୁଲିସ୍‌ ଘଟଣାସ୍ଥଳରୁ ଆହତ ଦମ୍ପତିଙ୍କୁ ଉଦ୍ଧାର କରି ଆମ୍ରି ହସ୍ପିଟାଲରେ ଚିକିତ୍ସା କରାଇଥିଲା।

ତେବେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବାପା-ମା’ଙ୍କଠାରୁ ଲୁଟ୍‌ ଉଦ୍ୟମ ଓ ଆକ୍ରମଣ ହୋଇଥିବାରୁ ଏ ବାବଦରେ ପୁଲିସ୍‌ ମୁହଁ ଖୋଲୁନାହିଁ।କେବଳ ଗତକାଲିର ଘଟଣା ନୁହେଁ, ପ୍ରତିଦିନ ରାଜଧାନୀରେ ଏଭଳି ଘଟଣା ଘଟୁଥିଲେ ହେଁ ପୁଲିସ୍‌ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଅପରାଧୀଙ୍କ ମୁହଁ ବଢ଼ିଯାଉଛି। ଏପରିକି ସେମାନେ ପୁଲିସକୁ ଆକ୍ରମଣ କରିବାକୁ ବି ପଛାଉ ନାହାନ୍ତି। କିଛି ଦିନ ତଳେ ବଡ଼ଗଡ଼ ଥାନାର ଜଣେ ମହିଳା ପୁଲିସଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ନୂଆବର୍ଷ ରାତିରେ ମହିଳା ଥାନା ଏସ୍‌ଆଇ ଶୁଭଶ୍ରୀ ନାୟକଙ୍କୁ ବି ସାଇନ୍ସ ପାର୍କ ନିକଟରେ ଆକ୍ରମଣ ହୋଇଥିଲା। ସେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଖଣ୍ଡା ଧରି ଗୋଡ଼ାଇଥିଲେ। ସେହିପରି ଗତବର୍ଷ ଡିସେମ୍ବର ୧୭ ତାରିଖରେ ୧୨୦ ବାଟାଲିୟନ୍‌ ନିକଟରେ କାର୍ଯ୍ୟରତ ମହିଳା ଟ୍ରାଫିକ୍‌ ପୁଲିସଙ୍କୁ କିଛି ଦୁର୍ବୃତ୍ତ ଟଣାଓଟରା କରିଥିଲେ। ସେହିପରି ଗତ ଡିସେମ୍ବର ୧୮ରେ ଏକ ଯୌତୁକ ନିର୍ଯାତନା ମାମଲାର ତଦନ୍ତ କରିବାକୁ ଯାଉଥିବା ମହିଳା ଥାନା ପୁଲିସ ଓ ଟିମ୍‌କୁ ଅଭିଯୁକ୍ତଙ୍କ ପରିବାରଲୋକ ଠେଙ୍ଗା ଧରି ଗୋଡ଼ାଇଥିଲେ।

Leave A Reply

Your email address will not be published.