ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟରେ ବଢିଛି ଭୋଟର ସଂଖ୍ୟା । 2024 ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଆଜିଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏ ନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । 2023 ଡ଼ିସେମ୍ବର 9 ଯାଏଁ ଭୋଟରମାନେ ଆବେଦନ କରିପାରିବେ । ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଓ ବୁଥ ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।
୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି ୩୭ ହଜାର ୮୦୯ ରେ ପହଞ୍ଚିଛି । ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ୨୦୨୩ ଜାନୁଆରୀ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ । ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୦୩ ହଜାର ୦୯୪ ବା ୦.୯୪ ପ୍ରତିଶତ ବଢି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ ରେ ପହଞ୍ଚିଛି ।
ଏବେ ରାଜ୍ୟରେ ପୁରୁଷ-ମହିଳା ଭୋଟର ହାର ବଢ଼ି ପ୍ରତି ହଜାରେ ପୁରୁଷରେ ୯୬୧ରୁ ବଢ଼ି ୯୬୩ ହୋଇଛି । ସୋରଡ଼ା, ହିଞ୍ଜିଳି ଓ ଆସ୍କା ରେ ପୁରୁଷ – ମହିଳା ଭୋଟର ହାର ସର୍ବାଧିକ ବଢ଼ିଛି । ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳକୁ ଜଣେ ଜଣେ ବୁଥ ସ୍ତରୀୟ ଏଜେଣ୍ଟ ଦେବାକୁ ଅନୁରୋଧ କରାଯାଇଛି । ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ୧୮ ଜଣ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଚଳିତ ଥର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରାଚୀନ ଜନଜାତି ଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।