ତ୍ୱରିତ ନ୍ୟାୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ : ରାଷ୍ଟ୍ରପତି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂଙ୍କ ମାରାଥନ କାର୍ଯ୍ୟକ୍ରମ, ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଅବସରରେ ଯୋଗ ଦେଇ ସେ କହିଛନ୍ତି ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟ ହେବ ।

୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି। ବୀରମାଟି କଟକକୁ ପ୍ରଣାମ କରିବା ସହ ଉତ୍କଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି। ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି। ଏହା ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ। ତ୍ୱରିତ ନ୍ୟାୟ ପ୍ରଦାନ ଯୋଗୁ ୨ ବର୍ଷରେ ବିଚାରଧୀନ ମାମଲା ସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇଛି। ହାଇକୋର୍ଟ ସ୍ଥାପିତ ହେବାର ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି। ହାଇକୋର୍ଟର ବହୁ ବିଚାରପତି ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଭାରତର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି।

ଓଡ଼ିଶାର ବହୁ ଆଇନ ବିଶାରଦମାନଙ୍କର ସର୍ବ ଭାରତୀୟ ସ୍ତରରେ ଆଇନ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି। ମାତ୍ର ସମୟ ସହ ତାଳ ଦେଇ ଚାଲି ନ ପାରିଲେ ଯେକୌଣସି ସଙ୍ଗଠନ ତଥା ସଂସ୍ଥା ସମସ୍ତେ ପଛରେ ପଡ଼ିଯାଆନ୍ତି। କିନ୍ତୁ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି। ଯାହାଦ୍ୱାରା ପୀଡ଼ିତ ନ୍ୟାୟ ପାଇ ପାରୁଥିବା କହିଛନ୍ତି ରାଷ୍ଟ୍ରପତି।

 

Leave A Reply

Your email address will not be published.