ଓଡିଆ ନ୍ୟୁଜ୍(ବ୍ୟୁରୋ): ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲ ପିଇଟି ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଆଜି ସକାଳୁ ରେଡ୍ ହୋଇଛି । କ୍ରୀଡ଼ା ଶିକ୍ଷକଙ୍କର ରହିଛି ଅମାପ ସମ୍ପତ୍ତି । ମଦ ଭାଟିଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଗୋଦାମ ବି ରହିଛି। ଜଣେ ସରକାରୀ ଶିକ୍ଷକ କିପରି ଏତେ ପରିମାଣର ସମ୍ପତ୍ତି ଠାବ କରିପାରିଲେ ତାହା ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି।
ଜନାର୍ଦ୍ଦନଙ୍କ ନିଜ ଘର, ପୈତୃକ ଘର, ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସମୁଦାୟ ୧୧ଟି ସ୍ଥାନରେ ଆଜି ସକାଳୁ ସକାଳୁ ଚାଲିଛି ରେଡ। ଜନାର୍ଦ୍ଦନଙ୍କର ବ୍ରହ୍ମପୁର ଅନନ୍ତନଗର ଲେନ୍ ନଂ୧ରେ ଏକ ୩ ମହଲା ବିଶିଷ୍ଟ କୋଠା ଥିବା ବେଳେ ତାହାର ମୂଲ୍ୟ ୨କୋଟିରୁ ଊର୍ଦ୍ଧ୍ୱ ହେବ । ଏହି ଘରେ ଚଢ଼ାଉ ବେଳେ ପୁଳା ପୁଳା ନଗଦ ଟଙ୍କା, ସୁନାଗହଣା ଆଦି ଜବତ ହୋଇଛି।
ଏହାବାଦ ୧୦ରୁ ଊର୍ଦ୍ଧ୍ୱ ପ୍ଲଟର କାଗଜ ପତ୍ର ମିଳିଥିବା ବେଳେ ବହୁ ଇନସ୍ୟୁରାନ୍ସ କାଗଜ ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଅନନ୍ତନଗର ଲେନ୍ ନଂ-୩ରେ ଜନାର୍ଦ୍ଦନଙ୍କର ଏକ ଘର ଥିବା ବେଳେ ସେଠାରେ ଭଡ଼ାରେ ହଷ୍ଟେଲ ଚାଲୁଛି। ଜୟନ୍ତପୁରରେ ପୈତୃକ ଘର, ଅଫିସ, ପେଟ୍ରୋଲ ପମ୍ପ, ମଦ ଭାଟି, ଗ୍ୟାସ ଗୋଦାମ ରହିଛି। ଏହି ସବୁ ସ୍ଥାନରେ ବି ରେଡ କରୁଛନ୍ତି ଭିଜିଲାନ୍ସ ଅଧିକାରୀ।