କୋରାପୁଟ: ପଟାଙ୍ଗୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଅର୍ଥ ହଡପ୍, ୪ ଜଣ ନିଲମ୍ବିତ
ଓଡିଆ ନ୍ୟୁଜ୍(ବ୍ୟୁରୋ): କୋରାପୁଟ ଜିଲ୍ଲା ପଟାଙ୍ଗୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୩ କୋଟି ୭୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଅର୍ଥ ହଡପ୍ ଅଭିଯୋଗରେ ୪ ଜଣ ନିଲମ୍ବିତ । ସେଭିତରୁ ୩ ଜଣ ଅଧିକାରୀ ଓ ଜଣେ କିରାଣୀ । ଷ୍ଟାମ୍ପ ଅର୍ଥ ହଡପ୍ ନେଇ ପଟାଙ୍ଗି ତହସିଲଦାର ହରିପଦ ମଣ୍ଡଳ, ଅତିରିକ୍ତ ତହସିଲଦାର ମହାଦେବ ଭତ୍ରା, ପୂର୍ବତନ ତହସିଲଦାର ତଥା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ବର୍ତ୍ତମାନର ବିଡିଓ ଅରୁଣ କୁମାର ଖଣ୍ଡାଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ସେହିପରି କିରାଣୀ ତଥା କ୍ୟାସିୟର ସୁଧୀର କୁମାର ସାହୁଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ନାଁରେ ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଛି।
କୋରାପୁଟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ହରିପଦ ମଣ୍ଡଳ ପଟାଙ୍ଗି ଥାନାରେ କିରାଣିଙ୍କ ବିରୋଧରେ ଏତଲା ଦେଇଛନ୍ତି । ମୁଖ୍ୟ କାର୍ପଟଦାର କିରାଣି ସୁଧୀର କୁମାର ସାହୁ ଫେରାର ଥିବା ଜଣାପଡିଛି। ପଟାଙ୍ଗୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ୨୦୧୭ରୁ ୨୦୨୨ ମସିହା ସୁଦ୍ଧା ଷ୍ଟାମ୍ପ୍ ବାବଦ ଟଙ୍କା ଜମା କରା ନଯାଇ ପ୍ରାୟ ୩କୋଟି ୭୦ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଜଣାପଡିଛି। ସ୍ୱତନ୍ତ୍ର ଅଡିଟ୍ ଟିମ୍ର ଅଡିଟ୍ ରିପୋର୍ଟ ପରେ କିରାଣିଙ୍କ ଚଞ୍ଚକତା ଧରାପଡିଛି। ୨୦୨୦ରେ ବର୍ତ୍ତମାନର ପଟାଙ୍ଗୀ ତହସିଲଦାର ଆର୍ଥିକ ଅନିୟମିତତା ହୋଇଥିବା ନେଇ ସୁରାକ ପାଇବା ପରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ । ଏହାପରେ ରାଜସ୍ୱ ବିଭାଗ ପକ୍ଷରୁ ଅଡିଟ୍ କରାଯାଇଥିଲା ।