ପଶ୍ଚିମବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତିକୁ ରାଜନୀତିରୁ ଦୂରରେ ରଖନ୍ତୁ: ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏଠାକାର ରାଜ୍ୟ ସରକାର ଜାତୀୟ ଶିକ୍ଷା ନୀତି ୨୦୨୦କୁ ରାଜନୀତିରୁ ଦୂରରେ ରଖିବା ଉଚିତ୍ ବୋଲି ଗୁରୁବାର ପଶ୍ଚିମବଙ୍ଗର ବାରୁଇପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାରୁଇପୁର ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଧର୍ମେନ୍ଦ୍ର ପଶ୍ଚିମବଙ୍ଗରେ ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ବ୍ୟାପକ ଦୁର୍ନୀତି, ବଂଶବାଦ, ରାଜ୍ୟର ମେଧାବୀ ଯୁବକ ଯୁବତୀଙ୍କ ଅଗ୍ରାଧିକାର, ନୂଆପିଢିଙ୍କ ଉତ୍ତମ ଭବିଷ୍ୟତ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର କ୍ରିୟାନ୍ୱୟନ ଉପରେ ମତପ୍ରକାଶ କରିଛନ୍ତି । ସେ କହିଛନ୍ତି ପଶ୍ଚିମବଙ୍ଗର ଶିକ୍ଷକ ଏବଂ ଯୁବପିଢିଙ୍କୁ ନ୍ୟାୟ ମିଳିବା ଦରକାର । ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ଗତ ୧୦ ବର୍ଷ ଧରି ନବୋଦୟ ବିଦ୍ୟାଳୟ- ୧ ବନ୍ଦ ପଡ଼ିଛି । ଏହାକୁ ସୁଚାରୁରୂପେ ଚଲାଇବା ଏବଂ ସ୍ଥାୟୀ ଭବନ ନିର୍ମାଣ ପାଇଁ ଜମି ଉପଲବ୍ଧ କରାଇବା ତଥା ପଶ୍ଚିମବଙ୍ଗର ଭାଷାର ଭବ୍ୟତା ବଢ଼ାଇବା ଦିଗରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ସେ ଅପିଲ୍ କରିଛନ୍ତି । ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା କେନ୍ଦ୍ର ସରକାରଙ୍କ ପ୍ରାଥମିକତାରେ ରହିଛି । ଦକ୍ଷିଣ ୨୪ ପରଗନାର ନବୋଦୟ ବିଦ୍ୟାଳୟ ୧କୁ ସୂଚାରୁରୂପେ ଚଳାଇଲେ ଜିଲ୍ଲାର ଗରିବ, ଦଳିତ, ବଞ୍ଚିତ ବର୍ଗର ବିଦ୍ୟାର୍ଥୀଙ୍କ ଶିକ୍ଷା ସହ ଯୋଡ଼ିବାର ସୁଯୋଗ ବୃଦ୍ଧି ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।

ଏହି ଗସ୍ତକାଳରେ ଧର୍ମେନ୍ଦ୍ର ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଧର୍ମେନ୍ଦ୍ର ନରେନ୍ଦ୍ରପୁର ସ୍ଥିତ ରାମକ୍ରୀଷ୍ଣ ମିଶନ ଆଶ୍ରମ ଏବଂ ରାମକ୍ରୀଷ୍ଣ ମିଶନ ଆବାସିକ ମହାବିଦ୍ୟାଳୟ ପରିଦର୍ଶନ କରଥିଲେ । ରାମକ୍ରୀଷ୍ଣ ଆଶ୍ରମ ଆଶ୍ରମ ସମାଜର ଅବହେଳିତ ବର୍ଗର ଲୋକଙ୍କୁ ଶିକ୍ଷା ପ୍ରଦାନ କରୁଅଛି । ଆଶ୍ରମରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯାଉଛି । ରାମକ୍ରୀଷ୍ଣ ମିଶନ ଆବାସିକ ମହାବିଦ୍ୟାଳୟ ଜାତୀୟ ଶିକ୍ଷା ନୀତିର ୨୦୨୨ର ପରାମର୍ଶ ଗୁଡ଼ିକ କାର୍ଯ୍ୟକାରୀ କରୁଥିବା ନେଇ କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାରୁଇପୁର ଠାରେ ପ୍ରଥମ ଥର ଭୋଟ ଦେବା ପାଇଁ ପଞ୍ଜିକୃତ କରିଥିବା ଯୁବସାଥୀଙ୍କ ସହ ଆଲୋଚନା କରିଥିଲେ । ସେ କହିଥିଲେ, ଦେଶ ସ୍ୱାଧୀନତାର ଶହେ ବର୍ଷ ପୂରଣ କରୁଥିବା ବେଳେ ଏହି ଯୁବପିଢିମାନେ ଦେଶର ନେତୃତ୍ୱ ନେଉଥିବେ । ପଶ୍ଚିମବଙ୍ଗ ଏବଂ ଭାରତକୁ ଶିଖରକୁ ନେବା ପାଇଁ ଯୁବପିଢିଙ୍କୁ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱକୁ ମନେ ରଖିବାକୁ ହେବ । ଦୁର୍ନୀତି ଏବଂ ବଂଶବାଦକୁ ଦୂର କରିବା ପାଇଁ ସେମାନଙ୍କର ସଂକଳ୍ପକୁ ମଜବୁତ୍ କରିବା ଆବଶ୍ୟକ । ଏଠାକାର ଯୁବଶକ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ଣ୍ଣାୟକ ନେତୃତ୍ୱକୁ ସମର୍ଥନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ପରବର୍ତ୍ତୀ ପର୍ଯ୍ୟାୟରେ ଯାଦବପୁର ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନେତାଙ୍କ ସହ ଧର୍ମେନ୍ଦ୍ର ଏକ ବୈଠକରେ ଯୋଗ ଦେଇଥିଲେ । ବାରୁଇପୁର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳିରେ ଆୟୋଜିତ ଏକ ପନ୍ନା ପ୍ରବାସ ବୈଠକରେ ଯୋଗ ଦେବା ପରେ ବୁଥସ୍ତରର କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ଣ ଭୋଜନ କରିଥିଲେ । ଏହାବ୍ୟତିତ ବାରୁଇପୁର ସ୍ଥିତ ସର୍ଜିକାଲ ସେଣ୍ଟର ପରିଦର୍ଶନ କରିବା ସହ ଯାଦବପୁରରେ ମଧ୍ୟ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର  ଯୋଗ ଦେଇଥିଲେ ।

Leave A Reply

Your email address will not be published.