ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ଜିରୋ ଟଲରେନ୍ସ: ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ବର(ଓଡିଆ ନ୍ୟୁଜ୍): 5T କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଦିନ ଠାରୁ ଆଉ ଦୁର୍ନୀତିଗ୍ରସ୍ତଙ୍କୁ ନିସ୍ତାର ମିଳୁନାହିଁ। ଟିକିଏ ବି ଦୁର୍ନୀତିର ଛିଟା ଲାଗିଲେ ଅଧିକାରୀ ମାନଙ୍କୁ ସିଧା ବାଧ୍ୟତାମୂଳକ ଅବସର ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି କ୍ରମରେ କଟକର ଅତିରିକ୍ତ ଏପପି ତ୍ରିନାଥ ମିଶ୍ରଙ୍କୁ ଏବେ ଚାକିରିରୁ ସିଧା ବହିସ୍କାର ସହ ବାଧ୍ୟତାମୂଳକ ଅବସରର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।
ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ କଟକ ତୁଳସୀପୁରସ୍ଥିତ ଅତିରିକ୍ତ ଏସ୍.ପି (ଯୋଗାଯୋଗ) ଶ୍ରୀ ତ୍ରିନାଥ ମିଶ୍ରଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ବିଭିନ୍ନ ସ୍ତରରୁ ଅଭିଯୋଗ ଆସିବା ପରେ କଟକ, ଖୋର୍ଦ୍ଧା, ଯାଜପୁର, ଜଗତସିଂହପୁର ଓ ନବରଂଗପୁର ଆଦି ଜିଲ୍ଲାର ୧୧ଟି ସ୍ଥାନରେ ଥିବା ତାଙ୍କର ବିଭିନ୍ନ ସମ୍ପତ୍ତି ଉପରେ ଏକାସମୟରେ ତଲାସୀ କରାଯାଇଥିଲା । ଏହି ତଲାସୀରୁ ବିପୁଳ ପରିମାଣରେ ସମ୍ପତ୍ତି ଥିବାର ଜଣାଯାଇଥିଲା । ତାଙ୍କ ପାଖରୁ ସମୁଦାୟ ପ୍ରାୟ ୯ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମିଳିଥିଲା।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୨ ଜଣ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କାର ବା ବାଧ୍ୟତାମୂଳକ ଅବସର ଦିଆଯାଇଛି। ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦିଆଯିବାରେ ଶ୍ରୀ ମିଶ୍ର ହେଉଛନ୍ତି ଅନ୍ୟତମ ବରିଷ୍ଠ ଅଧିକାରୀ ।
ନିଜର ଚାକିରୀକାଳରେ ସମ୍ପତ୍ତିର ହିସାବ ଦେଇନାହାନ୍ତି ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ତ୍ରିନାଥ ମିଶ୍ରଙ୍କ ଘରୁ ଆୟ ବର୍ହିଭୂତ ସମ୍ପତ୍ତି ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଆଜି ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟ ବାହାରେ ବି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଥିବା ଜଣାପଡିଛି । ଦିଲ୍ଲୀ ଓ ପୁନେରେ ଏହି ବ୍ୟାଙ୍କ ଆକାଉଣ୍ଟ ଥିଲା । ମିଳିଥିବା ଖବର ଅନୁସାରେ, ଏହି ଦୁଇଟି ଆକାଉଣ୍ଟର ଖୋଳତାଡ ପାଇଁ ଏହି ବ୍ୟାଙ୍କକୁ ମେଲ କରିଛି ଭିଜିଲାନ୍ସ ।