ଓଡିଆ ନ୍ୟୁଜ୍ (ବ୍ୟୁରୋ): ମାର୍ଚ୍ଚ ମାସ ପାଇଁ ଆସିଲା କୋଭିଡ୍ ଗାଇଡଲାଇନ୍ । ରାଜ୍ୟ ସରକାର କିଛି କଟକଣା କୋହଳ କରିଥିବା ବେଳେ କିଛି କଟକଣାକୁ ବଳବତ୍ତର ରଖିଛନ୍ତି। ତେବେ ନଜର ପକାନ୍ତୁ କଣ ରହିଛି କଟକଣା।
ଏଣିକି ବିବାହ ଓ ବ୍ରତଘରରେ ୫୦୦ ଲୋକ ସାମିଲ ହୋଇପାରିବେ । ତେବେ ବିବାହ ଶୋଭାଯାତ୍ରାରେ ସର୍ବାଧିକ ଶହେ ଜଣ ଯାଇପାରିବେ । ଅନ୍ତ୍ୟେଷ୍ଟି କ୍ରିୟାରେ ୨୫୦ ଲୋକଙ୍କୁ ସାମିଲ ଅନୁମତି ଦେଇଛନ୍ତି ସରକାର । ସାମାଜିକ, ଧାର୍ମିକ, ରାଜନୈତିକ ଓ କ୍ରୀଡ଼ା ସମାବେଶରେ କରୋନା କଟକଣା ନିୟମ ମାନିବାକୁ ପଡ଼ିବ । ସେହିପରି ପ୍ରଦର୍ଶନୀ, ବାଣିଜ୍ୟ ମେଳା, ଏକ୍ସପୋ ମଧ୍ୟ କୋଭିଡ କଟକଣା ଅନୁସାରେ ହେବ । ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ନିର୍ବାଚନ ରାଲି, ମିଟିଂ, କ୍ୟାମ୍ପେନ ଅନୁଷ୍ଠିତ ହେବ । ସେହିପରି କୋଭିଡ କଟକଣାରେ ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ପାଳନ ପାଇଁ ଜାରି ହୋଇଛି ଗାଇଡଲାଇନ୍ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳକୁ ବାରଣ କରାଯାଇଛି । ଘରେ ରହି ହୋଲି ଉତ୍ସବ ଲୋକେ ପାଳନ କରିବେ ।
ମାର୍ଚ୍ଚ ମାସର ଗାଇଡଲାଇନରେ ରାଜ୍ୟ ସରକାର ଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଶନିବାର ପ୍ରକାଶିତ ମାର୍ଗଦର୍ଶିକା ଅନୁଯାୟୀ, ଜିଲ୍ଲାପାଳ, କମିଶନରଙ୍କ ଅନୁମତି ନେଇ ଯାତ୍ରା ଓ ଅପେରା ପରିବେଷଣ ହୋଇ ପାରିବ। ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ହେଲେ କରୋନା ସଂପର୍କିତ ସମସ୍ତ ଗାଇଡ୍ଲାଇନ୍ ମାନି ଯାତ୍ରା ପରିବେଷଣ ହୋଇ ପାରିବ। ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ। ସିଟ୍ ମଧ୍ୟରେ ୬ ଫୁଟ୍ ଦୂରତା ରହିବ। ରୋଗାକ୍ରାନ୍ତଙ୍କୁ ଯାତ୍ରା ପାଇଁ ବାରଣ କରାଯାଇଛି। ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ମିଳିବ ନାହିଁ ଗାଇଡ୍ଲାଇନ୍ରେ କୁହାଯାଇଛି।
ଏଥି ସହିତ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି। ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରାରେ କଟକଣା ଉଲ୍ଲଂଘନ କଲେ ଆୟୋଜକ ଦାୟୀ ରହିବେ ବୋଲି ଗାଇଡ୍ଲାଇନ୍ରେ ସ୍ପଷ୍ଟ ଭାବେ କୁହାଯାଇଛି।