ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଶୀତ ଲହରୀ | ଉତ୍ତରରୁ ଦକ୍ଷିଣ, ଉପକୂଳରୁ ପଶ୍ଚିମ ସବୁଠି ରାଜ୍ କରୁଛି ଥଣ୍ଡା । ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ । ବଢ଼ୁଥିବା ଶୀତ ଲୋକଙ୍କ ଦିନଚର୍ଯ୍ୟାକୁ ବଦଳେଇ ଦେଇଛି ।
ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି । କନ୍ଧମାଳ, କୋରାପୁଟ, ସୁନ୍ଦରଗଡ଼, ମୟୂରଭଞ୍ଜ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତ ଅଧିକ ଅନୂଭବ ହେଉଛି । ସେହିପରି ଆଗାମୀ ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁହୁଡିର ସମ୍ଭାବନା ରହିଛି ।
ଶୀତ ସାମାନ୍ୟ କମିଛି । ହେଲେ ଘନ କୁହୁଡ଼ା ଜାରି ରହିଛି । ଏପିରିକି ଲୋକେ ଯିବାଆସିବାରେ ଅନେକ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ସେହିପରି କୁହୁଡି ଲାଗି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ-କଲିକତା ଏବଂ ୨୨୦ ନମ୍ବର ରାଞ୍ଚି-ବିଜୟଓ୍ୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳାରେ ସମସ୍ୟା ଦେଖା ଦେଇଛି । ସବୁ ଗାଡି ଲାଇଟ୍ ଲଗାଇ ଯାଉଥିବା ବେଳେ କିଛି ଗାଡି ରାଜପଥ କଡ଼ରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି ।