ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସାରଳାଙ୍କ ମନ୍ଦିରରୁ ଚୋରି। ସୂଚନାଯୋଗ୍ୟ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତ ହୁଣ୍ଡି ଭାଙ୍ଗି ମା’ ଙ୍କ ମନ୍ଦିରରୁ ଦାନ ଟଙ୍କା ଲୁଟିନେଇଛନ୍ତି । ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା ବେଳେ କେତେକ ସ୍ଥାନ ଭଙ୍ଗା ହୋଇ ପଡିଛି, ଯାହା ଫଳରେ ଚୋରକୁ ଚୋରି କରିବାକୁ ସୁବିଧା ହୋଇଛି । ଅନ୍ୟପଟେ ମନ୍ଦିର ପରିସରରେ ଫାଣ୍ଡି ଥିବା ସତ୍ୱେ କିଭଳି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ କଟର ମେସିନ ଧରି ମନ୍ଦିରର ପଶ୍ଚିମ ଦ୍ୱାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମନ୍ଦିରର ସିଂହଦ୍ଵାର ନିକଟରେ ଥିବା ୧ ନମ୍ବର ହୁଣ୍ଡିକୁ କଟର ମେସିନ ସାହାଯ୍ୟରେ କାଟି ଟଙ୍କା ଲୁଟି ନେଥିଲେ । ହୁଣ୍ଡି ଲୁଟ୍ କରିବା ପରେ ଦୁର୍ବୁତ୍ତମାନେ ପଶ୍ଚିମ ଦ୍ୱାରା ଦେଇ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାରେ ତିର୍ତ୍ତୋଲ ପୋଲିସ ତନାଘନା କରିବା ସହିତ ୩ ଜଣ ଅଭିଯୁକ୍ତକୁ ଧରି ଥାନାରେ ପଚରାଉଚାର କରୁଛି । ଶାରଳା ମନ୍ଦିରର ଏହି ହୁଣ୍ଡି ବର୍ଷକୁ ଥରେ ଖୋଲାଯାଇଥାଏ ।
ହାରାହାରି ୩୦ରୁ ୩୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ସନ୍ଦେହ କରାଯାଉଛି ।ଆଜି ଭୋରୁ ସେବକମାନେ ମନ୍ଦିର ଖୋଲିବା ପାଇଁ ଯିବାବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ମନ୍ଦିର ଟ୍ରଷ୍ଟ ବୋର୍ଡଙ୍କୁ ଖବର ଦେଇଥିଲେ । ଟ୍ରଷ୍ଟ ବୋର୍ଡର ମୁଖ୍ୟ ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଟକ ଥିବା ୩ ଜଣଙ୍କ ଠାରୁ କିଛି ଟଙ୍କା ଜବତ କରାଯାଇଛି ।