ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପୁଣି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ପଥର ମାଡ ହୋଇଛି । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ କାଦୁର ଷ୍ଟେସନ ଅତିକ୍ରମ କରୁଥିବା ବେଳେ ଏବଂ କର୍ଣ୍ଣାଟକର କାଦୁର-ବିରୁର ସେକ୍ସନ ମଧ୍ୟରେ ଟ୍ରେନ୍ ଉପରେ ପଥର ମାଡ଼ ହୋଇଥିଲା। ରିପୋର୍ଟରୁ ପ୍ରକାଶ, ଆଜି ସକାଳ ୮ଟା ୪୦ରେ କାଦୁର ଷ୍ଟେସନ ଅତିକ୍ରମ କରିବା ପରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ନମ୍ବର ୨୦୬୬୧ (ବେଙ୍ଗାଲୁରୁ-ଧାରୱାଡ଼) ଉପରେ କର୍ଣ୍ଣଟକର କାଦୁର-ବିରୁର ସେକ୍ସନ୍ ମଝିରେ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ଼ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୧ ତାରିଖରେ ଧାରୱାଡ-ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ପଥର ମାଡ଼ ହେବାର ମାତ୍ର ୪ ଦିନ ପରେ ଏହି ଘଟଣା ଘଟିଛି। ପଥର ମାଡ଼ ଘଟଣାରେ ଟ୍ରେନ୍ ବଗିର ଝରକା କ୍ଷତିଗ୍ରସ୍ତ ହୋଇଛି। ଧାରୱାଡ-ବେଙ୍ଗାଲୁରୁ ମଧ୍ୟରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉପରକୁ ପଥର ମାଡ଼ ଅଭିଯୋଗରେ ରେଳବାଇ ପୁଲିସ ବୁଧବାର ଦୁଇ ଜଣ ନାବାଳକଙ୍କୁ ଗିରଫ କରିଛି।
ନାବାଳକମାନଙ୍କୁ ଚିତ୍ରଦୁର୍ଗାସ୍ଥିତ ଏକ ପର୍ଯ୍ୟବେକ୍ଷଣ ଗୃହକୁ ପଠାଯାଇଛି। ବେଙ୍ଗାଲୁରୁ- ଧରୱାଡ଼ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୭ରେ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଭୋପାଲର ରାଣୀ କମଳାପତି ରେଳ ଷ୍ଟେସନରୁ କର୍ଣ୍ଣାଟକ ପାଇଁ ଦ୍ଵିତୀୟ ସ୍ଥାନରେ ଥିବା ଏହି ଅତ୍ୟାଧୁନିକ ସେମି ହାଇସ୍ପିଡ୍ ଟ୍ରେନ୍କୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।