ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ଏବେର ଆକଳନ ଯାହା, ୫/୬ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଦକ୍ଷିଣ ଓଡ଼ିଶାରେ । ପବନ ହୋଇପାରେ ୫୦ରୁ ୬୦ କିମି ବେଗରେ । ଲଗାଣ ବର୍ଷା ଓ ପବନ ଯୋଗୁ ଅମଳ ହେବାକୁ ଧାନ ସହ ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ଆଶଙ୍କା ରହିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ଅନୁସାରେ ବାତ୍ୟା ଆନ୍ଧ୍ରର ମଛଲିପଟ୍ଟନମର ଉପକୂଳ ଅତିକ୍ରମ କରିବା ସମ୍ଭାବନା ଅଛି ।ସେପଟେ ବର୍ତ୍ତମାନ ରାଜ୍ୟରେ ଧାନ ଅମଳ ଚାଲିଛି । କ୍ଷେତରେ ଲହଡି ଭାଙ୍ଗୁଛି ପାଚିଲା ଧାନ ଫସଲ । ଏପରି ସମୟରେ ବାତ୍ୟା ସମ୍ଭାବନା ଚାଷୀକୂଳକୁ ଚିନ୍ତାରେ ପକାଇଛି ।
ରାଜ୍ୟରେ ବର୍ଷା ହେବାକୁ ଥିବାରୁ ଚାଷୀମାନେ ତରବରିଆ ଭାବେ ଧାନ କାଟି ସଂରକ୍ଷଣ କରିବାରେ ଲାଗିପଡିଛନ୍ତି ।ପାଣିପାଗ ବିଭାଗ ଅନୁଯାୟୀ, ଗତକାଲିର ଅବପାତ ଗତ ୬ ଘଣ୍ଟାରେ ଏହା ଘଣ୍ଟାପ୍ରତି ୧୩ କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆହୁରି ଘନୀଭିତ ହୋଇ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ବଙ୍ଗୋପସାଗର ଅଞ୍ଚଳରେ ଏହି ଗଭୀର ଅବପାତ ସକ୍ରିୟ ରହିଛି । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୪ ଘଣ୍ଟା ଭିତରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଯାହାକି ଆନ୍ଧ୍ର ଓ ତାମିଲନାଡୁ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।