ଅବପାତରେ ପରିଣତ ହେଲା ବାତ୍ୟା ମିଗଜୋମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆନ୍ଧ୍ର ଉପକୂଳରେ ଆଗକୁ ନ ବଢ଼ି ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିଛି ।

ଯାହାଫଳରେ ଦକ୍ଷିଣ ଓଡ଼ିଶାରେ ଯେଉଁଭଳି ବର୍ଷାର ଆକଳନ କରାଯାଉଥିଲା, ସେଭଳି ବଡ଼ ବର୍ଷା ହୋଇନି। ଆସନ୍ତା ଦୁଇଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବୁଧବାର ଦକ୍ଷିଣ ଓଡ଼ିଶା ସହ ପଶ୍ଚିମ ଓଡ଼ିଶାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗରରେ ଏହି ସକ୍ରିୟ ଅବପାତ ପ୍ରଭାବରେ ପୁରୀ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା ଜିଲ୍ଲା ସମେତ ରାଜଧାନୀ ଭୁବନେଶ୍ବରର କିଛି ସ୍ଥାନରେ ହାଲୁକା ବର୍ଷା ଲାଗି ରହିଛି ।

ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଏବେ ଛତିଶଗଡ ମୁହାଁ ରହିଛି ବାତ୍ୟା ମିଗଜୋମ । ଆଉ କିଛି ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଛତିଶଗଡ ମୁହାଁ ହେଲେ ବି ଓଡିଶା ଉପରେ ବିଶେଷ ପ୍ରଭାବ ପଡିବ ନାହିଁ । ତେବେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ।

ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡା ମାଲକାନଗିରି ଓ କୋରାପୁଟ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଗଞ୍ଜାମ, ଗଜପତି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଏହି ୫ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି ।

Leave A Reply

Your email address will not be published.