କରଚିରେ ପ୍ରକୃତିର ତାଣ୍ଡବ, ୧୯ ମୃତ

0

ଓଡ଼ିଆ ନ୍ୟୁଜ୍: କରଚିରେ ପ୍ରବଳ ବର୍ଷା ୧୯ ମୃତ। କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।ବାଲଦିଆ ଟାଉନର ମୱାଚ୍ ଗୋଥ୍ ଅଞ୍ଚଳରେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି । ବର୍ଷା ସମୟରେ ଏକ ପରିତ୍ୟକ୍ତ କୋଠାର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ି ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ଲୋକମାନେ କୋଠା ତଳେ ଆଶ୍ରୟ ନେଇଥିଲେ । ହେଲେ ତାଙ୍କ ଉପରେ କୋଠାର କାନ୍ଥ ଏବଂ ଛାତ ଭୁଶୁଡି ପଡିଥିଲା ।

ଲାନ୍ଧୀ ମଜିଦ୍ କଲୋନୀରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମାଲିର୍ ନଦୀ ନିକଟ ୟାରୁ ଗୋଥ୍ ଅଞ୍ଚଳରେ ବଜ୍ରପାତ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୋରାଙ୍ଗିରେ ଏକ ଘରର ଛାତ ପଡ଼ି ଜଣେ ମହିଳା ଏବଂ କୋରାଙ୍ଗି ନମ୍ବର ୫ରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।ପଶ୍ଚିମା ଝଡ଼ ପ୍ରଭାବରେ କରାଚି ସମେତ ସିନ୍ଧ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାକିସ୍ତାନ ପାଣିପାଗ ବିଭାଗ (PMD) ପୂର୍ବରୁ ସୂଚନା ଦେଇଥିଲା । ଝଡ଼ବର୍ଷା ଯୋଗୁଁ ବିଦ୍ୟୁତ ଠପ୍ ହୋଇପଡିଛି । ଏହି ଘଟଣା ପରେ ସିନ୍ଧ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାକୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧ୍ଵଂସାବଶେଷ ତଳେ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.