ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକରେ ‘ଅଗ୍ନିପଥ’ ନିଯୁକ୍ତି ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ର ମାନଙ୍କୁ ଅଟକ ରଖି ବୁଝାଇଲେ କଟକ ଡିସିପି।
ବ୍ୟାପିବାରେ ଲାଗିଛି ‘ଅଗ୍ନିପଥ’ ନିଆଁ। କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ। ଏବେ ଏହି ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଓଡ଼ିଶାରେ ବି ବିରୋଧ କରାଯାଇଛି। ଏହାକୁ ବିରୋଧ କରି କଟକ କ୍ୟାଣ୍ଟନମେଣ୍ଟ ରୋଡ୍ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ।
ଆର୍ମି ଅଫିସ୍ ଆଗରେ ହାତରେ ଠେଙ୍ଗା ବାଡି ଧରି ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି ଅନେକ ଯୁବପିଢ଼ି। ରିଙ୍ଗ୍ ରୋଡ୍ରେ ରାସ୍ତା ଅବରୋଧ ବେଳେ ପୁଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପକ୍ଷରୁ ଲାଠିମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କିଛି ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ମଧ୍ୟ ରଖିଛି। ସେପଟେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ସହ ଆଗକୁ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଗଲେ ଆନ୍ଦୋଳନ ଭୟାବହ ହେବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଛନ୍ତି।