ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭିଜିଲାନ୍ସ ଜାଲରେ ସବ୍-ରେଜିଷ୍ଟ୍ରର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ସବ୍ ରେଜିଷ୍ଟ୍ରର ଶାଶ୍ୱତ୍ କୁମାର ପଟ୍ଟନାୟକଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ ଟିମ। ଏହି ଚଢ଼ାଉରେ ୮ଜଣ ଡିଏସପି, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟ ଅଧିକାରୀମାନେ ସାମିଲ ହୋଇଛନ୍ତି । ସବ୍ ରେଜିଷ୍ଟ୍ରରଙ୍କ ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ଼ ଚାଲିଛି ।
କେନ୍ଦ୍ରାପଡ଼ା ସ୍ଥିତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ରେଡ କରୁଛି ଭିଜିଲାନ୍ସ । ସେହିପରି ନୟାଗଡ଼ ସ୍ଥିତ ଭଡ଼ାଘର ଓ ଅଫିସରେ ଭିଜିଲାନ୍ସ ଯାଞ୍ଚ ଜାରି ରହିଛି । ନୟାଗଡ଼ରେ ଶାଶ୍ବତ ରହୁଥିବା ଭଡ଼ା ଘର ଅଫିସ, କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ପୈତୃକ ଘର ଓ ୪ଜଣ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି।
ନୟାଗଡ଼ର ଦେବୋତ୍ତର କଲୋନିରେ ଶ୍ରୀ ପଟ୍ଟନାୟକଙ୍କ ଭଡ଼ା ଘର, ନୟାଗଡ଼ରେ ତାଙ୍କ କାର୍ଯ୍ୟାଳୟ, କେନ୍ଦ୍ରାପଡ଼ା ଜିଲ୍ଲା ତଳବରଙ୍ଗାଠାରେ ଥିବା ଶ୍ରୀ ପଟ୍ଟନାୟକଙ୍କ ଘର, ତଳଗାଁରେ ଥିବା ପୈତୃକ ଘର, ପେଣ୍ଠ ଓ ଦଳନ୍ତ ଗାଁରେ ଥିବା ସଂପର୍କୀୟଙ୍କ ଘରେ ଏକକାଳୀନ ଚଢ଼ଉ ଜାରି ରହିଛି। ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।