ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ୨୭୨୩ କୋଟି ଟଙ୍କା ବ୍ୟରେ ନିର୍ମିତ ହୋଇଛି ଏହି ପ୍ରକଳ୍ପ। ଏତଦବ୍ୟତୀତ ୩୦୫ କୋଟିର ୬୯ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଥିଲାଗି ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍, ଉନ୍ନୟନ କମିସନର୍ ଅନୁ ଗର୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବିଧାୟକ ନରସିଂହ ମିଶ୍ର, ମୁକେଶ ମହାଲିଙ୍ଗ, ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡର ଅଧ୍ୟକ୍ଷ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଅଛନ୍ତି।
ବୁଧବାର ଦିନ ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ସେଠାରୁ ସିଧା ଲୋୟର ସୁକତେଲ ପ୍ରକଳ୍ପର କଣ୍ଟ୍ରୋଲ ରୁମକୁ ଯାଇ ପ୍ରକଳ୍ପ କାର୍ଯ୍ୟକାରିତାର ଡେମୋ ଦେଖିଥିଲେ । ୧୧ଟା ୫୦ ମିନିଟ୍ ସମୟରେ ସେଠାରେ ଆୟୋଜିତ ସମାବେଶସ୍ଥଳକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ । ସେଠାରେ ଲୋୟର ସୁକତେଲ ପ୍ରକଳ୍ପ ସହ ଅନ୍ୟ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି ନବୀନ । ଏଥିସହ ବିଶାଳ ଜନମାବେଶକୁ ସମ୍ବୋଧିତ କରିଛନ୍ତି ନବୀନ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୨୦ ହଜାର ଲୋକଙ୍କ ସମାବେଶକୁ ନଜରରେ ରଖି ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ତେବେ ୧୯୯୯ ମସିହାରୁ ଲୋୟର ସୁକତେଲ ପ୍ରକଳ୍ପକୁ ଆଶା କରି ରହିଥିଲେ ଲୋକେ । ବିସ୍ଥାପନ ସମସ୍ୟାକୁ ନେଇ ୨୦୦୩ରେ ପ୍ରକଳ୍ପ କାମ ବନ୍ଦ ହୋଇଥିଲା । ପୁଣି ୨୦୧୩ରେ କାମ ଆରମ୍ଭ ହୋଇ ଥିବା ବେଳେ ନିକଟରେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ କରି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବା ସହ କାର୍ଯ୍ୟ ତ୍ବାରାନ୍ବିତ କରିଥିଲେ । ଯାହା ଫଳରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ସହ ଏହାର ଉଦଘାଟନ ହୋଇଛି ।