ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ଆଜି ପ୍ରକାଶ ପାଇଛି। ସର୍ବୋଚ୍ଚ ଅଦାଲତ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ। ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର। ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି।

ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ କହିଲେ ଖଣ୍ଡପୀଠ । କହିଛନ୍ତି ଯେ, ପ୍ରଥମେ ବୈଷମ୍ୟ ବିରୋଧୀ ଆଇନ ବା ଆଣ୍ଟି ଡିସ୍ କ୍ରିମିନେସନ ଲ’ ଅଣାଯାଉ । ବୈଷମ୍ୟ ବିରୋଧୀ ଆଇନ ଆଣିବାକୁ ମତଦେଲେ ପ୍ରଧାନ ବିଚାରପତି । ପ୍ରଧାନ ବିଚାରପତିଙ୍କ ମତକୁ ମୁଁ ବି ଗ୍ରହଣ କରୁଛି କହିଲେ ଜଷ୍ଟିସ କୌଲ । LGBT ବର୍ଗଙ୍କୁ ମୌଳିକ ସୁବିଧା ଦେବାକୁ କମିଟି ଗଠନ ପାଇଁ ନିର୍ଦ୍ଦେଶ ହୋଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସଂପୃକ୍ତ ବର୍ଗଙ୍କୁ ରାସନ, ପେନ୍‌ସନ୍‌ ଆଦି ସୁବିଧା ପାଇଁ କମିଟି ହେବ ।

ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଜଷ୍ଟିସ୍ ଏସ୍‌କେ କୌଲ, ଏସ୍‌ଆର୍ ଭଟ୍ଟ, ହିମା କୋହଲି ଓ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହର ବୈଧୀକରଣ ମାମଲାର ୧୦ ଦିନ ଧରି ଶୁଣାଣି କରିବା ପରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି, ରାଜୁ ରାମଚନ୍ଦ୍ରନ, କେଭି ବିଶ୍ବନାଥନ, ଆନନ୍ଦ ଗ୍ରୋଭର ଓ ସୌରଭ କିରପାଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସାମ୍ବିଧାନିକ ଖଣ୍ଡପୀଠ ୨୦ଟି ପିଟିସନର ଶୁଣାଣି ପରେ ମେ ମାସରେ ରାୟ ସଂରକ୍ଷିତ ରଖିଥିଲେ।

Leave A Reply

Your email address will not be published.