ଓଡିଆ ନ୍ୟୁଜ୍(ବ୍ୟୁରୋ): କୋଟିଆ ମାମଲାରେ ଓଡ଼ିଶାର ବଡ଼ ବିଜୟ । ଆନ୍ଧ୍ରର ପିଟିସନ ସୁପ୍ରିମକୋର୍ଟରେ ଖାରଜ। ଆନ୍ଧ୍ର ପକ୍ଷରୁ କୋଟିଆ ଆନ୍ଧ୍ରର ବୋଲି ଆବେଦନ କରିଥିଲେ ସେଠାକାର ନିର୍ବାଚିତ ପ୍ରତିନିଧି। କୋଟିଆରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବିଜୟୀ କୁନେତି କୁସେମା ବିରୋଧ କରିଥିଲେ । ଏନେଇ ସୁପ୍ରିମ୍କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମ କୋର୍ଟରେ ରିଟ୍ ପିଟିସନ ଦାଖଲ କରି କୋଟିଆରେ ଓଡ଼ିଶା ନିର୍ବାଚନକୁ ବାତିଲ କରିବା ଏବଂ କୋଟିଆକୁ ଆନ୍ଧ୍ର ପ୍ରଦେଶର ବୋଲି ବିବେଚନା କରିବାକୁ ପିଟିସନରେ ଉଲ୍ଲେଖ କରିଥିଲେ । ଯାହାକୁ ଆଜି ଖାରଜ କରିଛନ୍ତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତ ।
ପୂର୍ବରୁ କୋଟିଆ ବିବାଦକୁ ନେଇ ସୁପ୍ରିମକୋର୍ଟ ଯାଇଥିଲେ ରାଜ୍ୟ ସରକାର । ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଥିବା କୋଟିଆକୁ ଓଡିଶାର କରିବା ଲାଗି ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ । ସମସ୍ୟାର ସମାଧାନ ନିମନ୍ତେ ସର୍ବପ୍ରଥମେ ସମ୍ବିଧାନର ଧାରା ୧୩୧କୁ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ପ୍ରାର୍ଥନା କରିଥିଲେ । କୋଟିଆରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଉଥିବା କାର୍ଯ୍ୟକୁ ବନ୍ଦ କରିବା ପାଇଁ ମଧ୍ୟ ସରକାର ନିବେଦନ କରିଥିଲେ । ପୂର୍ବରୁ ଧାରା ୧୩୧ କାରଣରୁ ୨୦୦୬ରେ ଏହି ମାମଲା ଉପରେ ସୁପ୍ରିମକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ପିଟିସନକୁ ଖାରଜ କରିଥିଲେ ।
କୋଟିଆ ଗ୍ରାମପୁଞ୍ଜ ଆନ୍ଧ୍ରର ବୋଲି ଘୋଷଣା କରିବାକୁ ପିଟିସନରେ ଅପିଲ୍ ହୋଇଥିଲା । ଆନ୍ଧ୍ରର ପିଟିସନର କଡ଼ା ଜବାବ ଦେଇଥିଲା ଓଡ଼ିଶା । କୋଟିଆ ଓଡ଼ିଶାର ଏବଂ ଓଡ଼ିଶା ଏଥର ସଫଳତାର ସହିତ ପଞ୍ଚାୟତ ନିର୍ବାଚନ କରିଥିବା କୋର୍ଟଙ୍କୁ ଜଣାଇଥିଲା । ଉଭୟପକ୍ଷକୁ ଶୁଣିବା ପରେ ଆନ୍ଧ୍ରର ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଯାହାକୁ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରର ଷଡ଼ଯନ୍ତ୍ରକୁ ବଡ଼ ଝଟକା ମିଳିଛି ।
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ମଧ୍ୟ ବାରମ୍ବାର କୋଟିଆକୁ ଦଖଲ କରିବାକୁ ଆନ୍ଧ୍ର ଷଡ଼ଯନ୍ତ୍ର କରୁଛି । ଓଡ଼ିଶା ସରକାର କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନର ଫୋକସରେ ରହିଛି କୋଟିଆର ବିକାଶ । ତଥାପି ଆନ୍ଧ୍ର ତା’ର ବିସ୍ତାରବାଦୀ ନୀତିକୁ ଛାଡ଼ି ପାରୁନି ।