ରାଜ୍ୟର ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଶୋଷୁଛି ଟାଟା ପାୱାର: କଂଗ୍ରେସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓବିଦ୍ୟୁତ୍‌ ବିତରଣ କମ୍ପାନି ଟାଟା ପାୱାର ଡ଼ିଶାର ଉପଭୋକ୍ତାଙ୍କୁ ଶୋଷଣ କରୁଛି । ଶକ୍ତି ମନ୍ତ୍ରୀ, ସଚିବ, ଗ୍ରିଡ୍‌କୋର ପଦାଧିକାରୀ, ଓଇଆରସିର ଅଧ୍ୟକ୍ଷଙ୍କୁ ଶୋଷଣ ସଂପର୍କରେ ଜଣାଥିଲେ ବି ସେମାନଙ୍କର ମୌନବ୍ରତ ଟାଟା ପାୱାରକୁ ଅଧିକ ପ୍ରୋତ୍ସାହିତ କରୁଛି ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ କହିଲେ, ଟାଟା ପାୱାରକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବିତରଣ ଦାୟିତ୍ବ ଦେବା ପୂର୍ବରୁ ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କୁ ପ୍ରଥମ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ଏକ ସର୍ବନିମ୍ନ ଦର ଲାଗୁ ହେଉଥିଲା। ମାତ୍ର ଟାଟା ପାୱାର ବିତରଣ ଦାୟିତ୍ବ ନେବା ପରେ ପ୍ରଥମ ୧୦୦ ୟୁନିଟ୍‌ ପର୍ଯ୍ୟନ୍ତ ୩.୫୦ ଟଙ୍କାକୁ ବୃଦ୍ଧି ପାଇଛି। ପ୍ରତିମାସ ଶେଷରେ ମିଟର ରିଡିଂ କରିବା ପରିବର୍ତେ ଟାଟା ପାୱାର ପକ୍ଷରୁ ଜାଣିଶୁଣି ୧୦ଦିନ ବିଳମ୍ବରେ ମିଟର ରିଡିଂ କରାଯାଉଛି। ଫଳରେ କମ୍ପାନି ଓଡ଼ିଶାରୁ ପ୍ରତି ମାସରେ ଶହ ଶହ କୋଟି ଟଙ୍କାର ମୁନାଫା କମାଉଛି।

ଏକଥା ରାଜ୍ୟ ସରକାର ଜାଣିଥିଲେ ବି ଜନସାଧାରଣଙ୍କ ସ୍ବାର୍ଥ ରକ୍ଷା କରିବ‌ା ପରିବର୍ତେ କମ୍ପାନିର ଗୋଲାମଗିରି କରୁଛନ୍ତି। ଓଡ଼ିଶା ଏକ ବିଦ୍ୟୁତ୍‌ ବଳକା ରାଜ୍ୟ ହୋଇଥିଲେ ବି ରାଜ୍ୟରେ ବିଦ୍ୟୁତ୍‌ ଦର ୟୁନିଟ୍‌ ପିଛା ଏତେ ଅଧିକ କାହିଁକି ? ରାଜ୍ୟର ଚାଷୀଙ୍କୁ ତାଙ୍କର ସମସ୍ତ ବିଦ୍ୟୁତ୍‌ ଦେୟ ଛାଡ଼ କରିବାର ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ ହୋଇପାରିବା ପଛରେ କାରଣ କ’ଣ ? ବିତରକ କମ୍ପାନି ପ୍ରୀତିରେ ରାଜ୍ୟ ସରକାର ଯେଉଁ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ଯୋଗାଇ ଦେଇଛନ୍ତି ତାହା ଦ୍ବାରା ଆଜି ପର୍ଯ୍ୟନ୍ତ କେଉଁ ସ୍ଥାନରେ ଟ୍ରାନ୍‌ସଫର୍ମର, ବିଦ୍ୟୁତ୍‌ ପୋଲ ଇତ୍ୟାଦି ଲଗାଯାଇଛି ତାହାର ହିସାବ ଦିଆଯାଉ ବୋଲି ଶ୍ରୀ କାନୁନ୍‌ଗୋ ଦାବି କରିଛନ୍ତି। ମୁଖ୍ୟପାତ୍ର ରଜନୀ ମହାନ୍ତି କହିଥିଲେ, ରାଜ୍ୟରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଛି। ମାତ୍ର ବିଭାଗୀୟ ମନ୍ତ୍ରୀ ବିଦ୍ୟୁତ୍‌ କାଟ୍‌ର ଉଦ୍ଭଟ ସଜ୍ଞା ଦେଉଛନ୍ତି। ଗ୍ରାମାଞ୍ଚଳରେ ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେଉଥିବା ବେଳେ ବିଭାଗୀୟ ମନ୍ତ୍ରୀ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply

Your email address will not be published.