ଅଷ୍ଟ୍ରେଲିଆ ଉପରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଷ୍ଟ୍ରେଲିଆ ଉପରେ ଟିମ ଇଣ୍ଡିଆର ଜବରଦସ୍ତ ବିଜୟ । ଟି୨୦ ରେ ବିଶ୍ୱ ନଂ୧ ଭାରତ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ୫ଟିକିଆ ଟି୨୦ ସିରିଜରେ ୪-୧ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି । ପଂଚମ ମ୍ୟାଚରେ ଭାରତ ୬ ରନରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ ପୋଛି ନେଇଛି । କେବଳ ତୃତୀୟ ମ୍ୟାଚକୁ ଅଷ୍ଟ୍ରେଲିଆ ଜିତିପାରିଛି । ଶ୍ରେୟସ ଆୟରଙ୍କ ଲଢୁଆ ଅର୍ଦ୍ଧଶତକ, ଅକ୍ଷର ପଟେଲଙ୍କ ଦ୍ରୁତ ସ୍କୋର ଏବଂ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଏହି ବିଜୟ ଆଣିଦେଇଛି ।

ଆସନ୍ତା ୨୦୨୪ ଜୁନରେ ଟି୨୦ ବିଶ୍ୱକପ ହେବାକୁ ଯାଉଥିବା ବେଳେ ଭାରତୀୟ ଯୁବ ଟିମ ଦାବିଦାର ଭାବେ ଉଭା ହୋଇଛି । ରବିବାର ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଟି୨୦ ସିରିଜର ପଂଚମ ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ଭାରତ ପ୍ରଥମ ୪ ଓଭରରେ ୩୧ ରନ କରିଥିବା ବେଳେ ତୁରନ୍ତ ୨ଟି ୱିକେଟ ହରାଇଥିଲା । ଅଷ୍ଟ୍ରେଲୀୟ ବୋଲରଙ୍କ ମାପଚୁପ ବୋଲିଂର ସାମ୍ନା କରିନପାରି ଭାରତ ୧୩ ଓଭରରେ ୫ୱିକେଟ ହରାଇ ୯୭ ରନ କରିଥିଲା । ତେବେ ଶ୍ରେୟସ ଆୟର, ଜିତେଶ ଶର୍ମା ଓ ଅକ୍ଷର ପଟେଲଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ ହରାଇ ୧୬୦ ରନ କରିଥିଲା ଭାରତ ।

ଶ୍ରେୟସ ୩୭ଟି ବଲରୁ ୫ଟି ଚୌକା ଓ ୨ଟି ଛକା ସହ ୫୩ ରନ କରିଥିଲେ । ଅକ୍ଷର ୨୧ଟି ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହ ୩୧, ଜିତେଶ ୧୬ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହ ୨୪ ଏବଂ ଯଶସ୍ୱୀ ଜୟସ୍ୱାଲ ୧୫ଟି ବଲରୁ ଗୋଟିଏ ଚୌକା ଓ ଦୁଇଟି ଛକା ସହ ୨୧ ରନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଜେସନ ବେହରେନଡୋର୍ଫ ଓ ବେନ ଡ୍ୱାରଶୁଇସ ୨ଟି ଲେଖାଏ, ଏବଂ ଆରୋନ ହାର୍ଡି, ନାଥନ ଆଲିସ ଓ ତନଭୀର ସାଙ୍ଘା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଜବାବରେ ଅଷ୍ଟ୍ରେଲୀୟ ଓପନର ଟ୍ରାଭିସ ହେଡ ଓ ଜୋଶ ଫିଲିପ ଦମଦାର ଆରମ୍ଭ କରି ଅର୍ଶଦୀପ ସିଂଙ୍କ ପ୍ରଥମ ଓଭରରେ ୧୪ ରନ ନେଇଥିଲେ । ତେବେ ନିୟମିତ ବ୍ୟବଧାନରେ ୱିକେଟ ପଡିବାରୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ବଡ ସ୍କୋର କରି ପାରିନଥିଲେ । କେବଳ ଯୁବ ବ୍ୟାଟ୍ସମ୍ୟାନ ଏବନ ମ୍ୟାକଭୋଟ ଅର୍ଦ୍ଧଶତକ କରିଥିଲେ ।

ଅଧିନାୟକ ମ୍ୟାଥୁ୍ୟ ୱେଡ ଦ୍ରୁତ ସ୍କୋର କରୁଥିବା ବେଳେ ଆଉଟ ହେବାରୁ ବିଜୟ ଆଶା ମଉଳି ଯାଇଥିଲା । ଅକ୍ଷର ପଟେଲ, ମୁକେଶ କୁମାର ଓ ରବି ବିଷ୍ନୋଇ ଭଲ ବୋଲିଂ କରିଥିଲେ । ୩ ଓଭରରେ ୩୭ ରନ ଦେଇଥିବା ଅର୍ଶଦୀପ ଶେଷ ଓଭରରେ ମାତ୍ର ୩ ରନ ଦେବାରୁ ଅଷ୍ଟ୍ରେଲିଆ ଶେଷ ସୁଦ୍ଧା ୮ ୱିକେଟ ହରାଇ ୧୫୪ ରନ କରିଥିଲା । ଫଳରେ ଭାରତ ଠାରୁ ୬ ରନରେ ମ୍ୟାଚ ହାରିଥିଲା । ମ୍ୟାକଡରମଟ ୩୬ ବଲରୁ ୫ଟି ଛକା ସହ ୫୪ ରନ କରିଥିଲେ । ହେଡ ୨୮ ରନ, ୱେଡ ୧୫ ବଲରୁ ୨୨, ଟିମ ଷହଭିଡ ୧୭ ଓ ମ୍ୟାଟ ଶର୍ଟ ୧୬ ରନ କରିଥିଲେ । ମୁକେଶ ୩ଟି, ବିଷ୍ନୋଇ ଓ ଅର୍ଶଦୀପ ୨ଟି ଲେଖାଏଁ ଓ ଅକ୍ଷର ଗୋଟିଏ ୱିକେଟ ନେଇଥିଲେ । ଅକ୍ଷର ପଟେଲ ପ୍ଲେୟର ଅଫ ଦ ମ୍ୟାଚ ଓ ରବି ବିଷ୍ନୋଇ ପ୍ଲେୟର ଅଫ ଦ ସିରିଜ ହୋଇଥିଲେ ।

Leave A Reply

Your email address will not be published.