ଓର୍‌ମାସ୍‌ର ଟେରାକୋଟା ଦୀପ ଷ୍ଟଲ୍ ଉଦ୍‌ଘାଟିତ

0

ଓଡ଼ିଆ ନ୍ୟୁଜ, କେନ୍ଦ୍ରାପଡ଼ା: ଦୀପାବଳୀ ବଜାରକୁ ଆଖିରେ ରଖି ଓର୍‌ମାସ ପକ୍ଷରୁ ଆରମ୍ଭ କରାଯାଇଛି ଦୀପ ଷ୍ଟଲ । କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ ନିକଟସ୍ଥ ଏହି ଟେରାକୋଟା ଦୀପ ବିକ୍ରୟ କେନ୍ଦ୍ରକୁ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଏହି ଷ୍ଟଲ୍ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରୋଜଗାର ଯୋଗାଇବା ସହ ଲୁପ୍ତପ୍ରାୟ ହସ୍ତକଳାକୁ ବଂଚାଇ ରଖିବ ।

ଟେରାକୋଟା ଦୀପ ଓ ଅନ୍ୟାନ୍ୟ ଦୀପାବଳୀ ସାମଗ୍ରୀ ନଭେମ୍ବର ମାସ ୧୩ ତାରିଖ ପର୍ଯ୍ୟନ୍ତ ଏଠାରେ ବିକ୍ରୟ କରାଯିବ । ଏହି ଦୀପର ଦାମ୍ ଏକ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏଗୁଡ଼ିକ ପ୍ରସ୍ତୁତ କରିଛନ୍ତି ମହାକାପଡ଼ା ବ୍ଲକ୍ ଅନ୍ତର୍ଗତ ତେରଗାଁର ମା’ ବନଦୁର୍ଗା ଉତ୍ପାଦକ ଦଳ ଏବଂ ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ପରକୁଳା ଗାଁର ମା’ ଜଗଦ୍ଧାତ୍ରୀ ଉତ୍ପାଦକ ଦଳ । ଏହି ଆକର୍ଷଣୀୟ ରଙ୍ଗବେରଙ୍ଗ ଦୀପଗୁଡ଼ିକ ପରିବେଶ ଅନୁକୂଳ ଓ ହାତ ତିଆରି । ଫଳରେ ଏହାର ବେଶ ଚାହିଦା ରହିବ ବୋଲି ଓରମାସ୍ ପକ୍ଷରୁ କୁହାଯାଇଛି ।

ଏହି ଉଦ୍‌ଘାଟନ ଉତ୍ସବରେ ଓର୍‌ମାସ୍‌ର ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ନୀରୋଦ କୁମାର ଜେନା, ଜିଲ୍ଳା ସଂଯୋଜକ (ସ୍କିଲ୍‌) ମୋନାଲିସା ନାୟକ, କାର୍ଯ୍ୟନିର୍ବାହୀ ସହାୟକ ପ୍ରିୟଙ୍କା ରାଉଳ, ପୋଗ୍ରାମ୍ ମ୍ୟାନେଜର୍ (ସ୍କିଲ୍ ଡେଭଲପ୍‌ମେଂଟ୍‌) ପୁଷ୍ପା ରାଉଳ, ପୋଗ୍ରାମ୍ ମ୍ୟାନେଜର୍ (ସ୍କିଲ୍ ଡେଭଲପ୍‌ମେଂଟ୍‌) ଅବଦୁଲ ରେହମାନ୍ ଖାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ଆଲୋକ କୁମାର ମହାନ୍ତି, ଓରମାସ୍ ଓ ଜିଲ୍ଲା ପରିଷଦର ବହୁ କର୍ମକର୍ତା, ଉତ୍ପାଦକ ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.