ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବଦୁଲ କଲାମ ଦ୍ବୀପରୁ ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-1ର ପରୀକ୍ଷଣ ସଫଳ ହୋଇଛି । ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାଅନୁସାରେ, ଗୁରୁବାର ଅପରାହ୍ନରେ 4 ନମ୍ବର ଲଞ୍ଚ ପ୍ୟାଡରୁ ଏହି କ୍ଷେପଣାସ୍ତ୍ରକୁ ଲଞ୍ଚ କରାଯାଇଥିଲା । ଅଗ୍ନି-1ର ଲକ୍ଷ୍ୟଭେଦ କ୍ଷମତା 7 ଶହରୁ 9 ଶହ କିମି ହୋଇଥିବା ବେଳେ ଏହି କ୍ଷେପଣାସ୍ତ୍ର ପାଖରେ 1 ହଜାର କେଜି ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାର ଲମ୍ବ 15ମିଟର ଓ ଓଜନ 12ଟନ୍ ବୋଲି ଜଣାଯାଇଛି ।
ଏହି କ୍ଷେପଣାସ୍ତ୍ରକୁ ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିସାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ(ଆଇଜିଏମଡିପି) ଦ୍ବାରା ବିକଶିତ କରାଯାଇଛି । ଷ୍ଚ୍ରାଟେର୍ଜିକ ଫୋର୍ସେସ କମାଣ୍ଡ(SFC) ପକ୍ଷରୁ ପରୀକ୍ଷଣ ହୋଇଥିବା ଏହି କ୍ଷେପଣାସ୍ତ୍ରଟି ସଫଳତାର ସହ ନିଜର ସମସ୍ତ ଲକ୍ଷ୍ୟ ପୂରଣ କରିଥିଲା । ଡିଆରଡିଓ ପ୍ରତିରକ୍ଷା ବୌଜ୍ଞାନିକମାନଙ୍କ ଉପସ୍ଥିତିରେ ଭାରତାୟ ସେନାର ଷ୍ଚ୍ରାଟେର୍ଜିକ୍ ଫୋର୍ସେସ୍ କମାଣ୍ଡ ଏହି ପରୀକ୍ଷଣ କରିଥିଲେ । ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ ଏବଂ ଅଧିକାରୀମାନେ ଉପସ୍ଥିତ ରହି ଅଗ୍ନି କ୍ଷେପଣାସ୍ତ୍ରର ଗତିବିଧି ଉପରେ ଲକ୍ଷ୍ୟ ରଖିଥିଲେ ।1989 ମସିହାରେ ଏହାର ପ୍ରଥମ ପରୀକ୍ଷଣ କରାଯାଇଥିଲା । ତେବେ ଗୁରୁବାର କମାଣ୍ଡ ଅଧିନରେ ଷ୍ଟ୍ରାଟେର୍ଜିକ୍ ଫୋର୍ସେସ୍ କମାଣ୍ଡ(SFC) ପକ୍ଷରୁ ଏହାକୁ ପରୀକ୍ଷଣ ପାଇଁ ଉତକ୍ଷେପଣ କରାଯାଇଥିଲା ।
ଏହା ସଫଳତାର ସହ ସମସ୍ତ ପରିଚାଳଗତ ଏବଂ ବୈଷୟିକ ମାପଦଣ୍ଡକୁ ପ୍ରମାଣିତ କରିଥିଲା । ଉଚ୍ଚ କ୍ଷମତାସମ୍ପନ୍ନ ଲକ୍ଷ୍ୟଭେଦ କ୍ଷମତା ରହିଥିବା ଏହି କ୍ଷେପଣାସ୍ତ୍ରଟି ସମେତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ । ଏଥିରେ ତଥ୍ୟବହନ କରୁଥିବା ଟ୍ରାକିଂ ସିଷ୍ଟମର ରାଡାର, ଟେଲିମେଟାରି, ଇଲେକ୍ଟ୍ରୋ ଅପ୍ଟିକାଲ ବ୍ୟବହାର କରାଯାଇଛି । ଏହି ସଫଳ ପରୀକ୍ଷଣ ସହିତ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
Comments are closed.