ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆସନ୍ତାକାଲିଠୁ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ହୀରାକୁଦ ଜଳଭଣ୍ଡାରରୁ ୩ଟି ଗେଟ୍ ଖୋଲାଯାଇଛି। ଏହି ୩ଟି ଗେଟ୍ ଖୋଲାଯିବା ପରେ ସନ୍ଧ୍ୟା ୬ଟା ସୁଦ୍ଧା ମୋଟ ୮ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଡ୍ୟାମ୍ର ବାମ ପାର୍ଶ୍ଵର ୬ଟି ଓ ଡାହାଣ ପାର୍ଶ୍ଵର ୨ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି।
ବର୍ତ୍ତମାନ ହୀରାକୁଦ ମଧ୍ୟକୁ ୧ ଲକ୍ଷ ୩୮ ହଜାର ୩୩୫ କ୍ୟୁସେକ ପାଣି ପ୍ରବେଶ କରୁଛି। ସେହିପରି ୮ଟି ଗେଟ ଦେଇ ୧ ଲକ୍ଷ ୬୨ ହଜାର ୪୧୦ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ସେଥିରୁ ୩୭,୩୨୭ କ୍ୟୁସେକ୍ ଜଳ ପାୱାର ଚାନେଲ ଦେଇ ମହାନଦୀରେ ନିଷ୍କାସିତ ହେଉଥିବା ବେଳେ ୩୦୭୩ କ୍ୟୁସେକ୍ ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ଛଡ଼ାଯାଇଛି। ସ୍ପିଲ ୱେରେ ୧,୨୧,୭୩୬ କ୍ୟୁସେକ ପାଣି ନିଷ୍କାସିତ ହେଉଛି।
ଉଲ୍ଲେଖ ଥାଉ କି ଗତକାଲି ସକାଳେ ଜଳସ୍ତର ୬୧୫ ଫୁଟ୍ ଅତିକ୍ରମ କରିବା ପରେ ଗେଟ ଖୋଲାଯାଇଥିଲା । ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟକ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା।