ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏପ୍ରିଲ ୨୪ ଓ ୨୫ ରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ କେରଳ ଗସ୍ତରେ ଆସୁଥିବା ବେଳେ ଆତ୍ମଘାତୀ ବିସ୍ଫୋରଣ କରାଯିବାକୁ ଜଣେ ଯୁବକ ଧମକ ଦେଇଥିଲା । ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି । ଅନ୍ୟ ଜଣଙ୍କ ନାଁ ରେ ପିଏମ୍ ମୋଦିଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା ଜାଭିଅର ।
କେରଳ ସିଟି ପୋଲିସ କମିଶନର କେ. ସେଥୁ ରମଣ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି । ସିଟି ପୋଲିସ କମିଶନର କେ. ସେଥୁ ରମଣ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବା ନେଇ ଧମକପୂର୍ଣ୍ଣ ଚିଠି ମିଳିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଏହି ଆଧାରରେ କୋଚିରୁ ଜାଭିଅର ନାମକ ଯୁବକ ଅନ୍ୟ ଜଣଙ୍କ ନାଁ ରେ ଏଭଳି ଧମକପୂର୍ଣ୍ଣ ଚିଠି ଲେଖିଥିବା ଜଣାପଡିଥିଲା । ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ପଚରାଉଚରା କରାଯାଉଛି’। ଗତ ସପ୍ତାହରେ କୋଚିର ଜଣେ ବ୍ୟକ୍ତି ଏନ୍. ଜେ. ଜନିଙ୍କ ନାଁ ଥିବା ଏକ ଚିଠି ରାଜ୍ୟ ବିଜେପି ସଭାପତି କେ. ସୁରେନ୍ଦ୍ରନଙ୍କୁ ହସ୍ତଗତ ହୋଇଥିଲା । ଏ ନେଇ ପୋଲିସକୁ ଜଣାଥିବା ସହିତ ତଦନ୍ତ ଦାବି କରିଥିଲେ ।
ଚିଠିରେ ଲେଖାଥିଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଆସିଲେ ତାଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯିବ। ପୋଲିସ ଏ ନେଇ ଏନ୍. ଜେ. ଜନିଙ୍କୁ ପଚରାଉଚରା କରିଥିବା ବେଳେ ସେ କିଛି ଜାଣିନଥିବା କହିଥିଲେ । ଚିଠିରେ ଲେଖାଥିବା ହସ୍ତାକ୍ଷର ଯାଞ୍ଚ କରାଯିବା ପରେ ଏହା ଜନିଙ୍କର ହୋଇନଥିବା ଜଣାପଡିଥିଲା ।
ତେବେ ଘର ନିକଟରେ ଜଣେ ଯୁବକ ସହିତ ତାଙ୍କ ମତଭେଦ ଥିବାରୁ ସେ ସନ୍ଦେହରେ ପୋଲିସକୁ ଜଣାଇଥିଲେ । ସଂପୃକ୍ତ ଯୁବକ ହିଁ ଏଭଳି କରିଥାଇପାରେ ବୋଲି ପୋଲିସକୁ କହିଥିଲେ ଜନି । ସେହି ଆଧାରରେ କୋଚି ପୋଲିସ ଜାଭିଅରକୁ ପ୍ରଥମେ ହେପାଜତକୁ ନେବା ପରେ ସେ ସତ ବଖାଣିଛି ।