ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଯାତ୍ରାରେ ଅଶ୍ଲୀଳ ନାଚ ପାଇଁ ତାତିଲେ ଦର୍ଶକ। ପେଣ୍ଡାଲ ଉପରେ ମହାଭାରତ । ଯାହା ହାତରେ ଯାହା ପଡ଼ିଲା ଅପଗୋଷ୍ଠୀର ଦୁଇ ତିନି ଜଣଙ୍କ ଉପରେ ନିର୍ଘାତ ପିଟି ଚାଲିଥିଲେ। ପାଖାପାଖି ୫୦ରୁ ଅଧିକ ଲୋକ କାଠ ଫାଳିଆରେ ଆକ୍ରମଣ କରିବାରୁ ଜଣେ ଗୁରୁତର ହୋଇଛି। ଦଣ୍ଡଯାତ୍ରା ମଂଚରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହି ତୁମୁଳ କାଣ୍ଡ ହୋଇଛି। ଗଞ୍ଜାମ ଭଞ୍ଜନଗରର ମହୁଲିଆ ଗାଁରେ ଗତକାଲି ରାତିରେ ଦଣ୍ଡନାଚ ଚାଲିଥିବା ବେଳେ ଏହି ସଂଘର୍ଷ ହୋଇଛି। ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ। କିଛି ଯୁବକ କଳାକାରମାନଙ୍କୁ ଅଶ୍ଳିଳ ଭାଷାରେ କମେଣ୍ଟ କରିଥିଲେ। ଏହା ଉପରେ ଆପତ୍ତି ଉଠାଇଥିଲେ ଆୟୋଜକ। ପରେ ସେହି ଯୁବକ ଏବଂ ଆୟୋଜକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହା ଦେଖୁ ଦେଖୁ ଉଗ୍ର ରୂପ ନେଇଥିଲା। ହଠାତ୍ କିଛି ଯୁବକ ହାତରେ ଠେଙ୍ଗା ବାଡ଼ି ଧରି ଆୟୋଜକ ଓ କଳାକାର ଟିମ ଉପରେ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରୁ ସ୍ଥାନୀୟ ଦର୍ଶକ ବି ଏଥିରୁ ବାଦ୍ ପଡିନଥିଲେ। ସଂଘର୍ଷରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ବେଲଗୁଣ୍ଠା ପୁଲିସ୍ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରିବା ସହ ଦଣ୍ଡନାଚକୁ ବନ୍ଦ କରିଥିଲା। ଗୁରୁତର ଯୁବକ ଜଣକ ଗୋଲାପଡ଼ା ଗ୍ରାମର ଦିଲ୍ଲୀପ ପଣ୍ଡାଙ୍କ ପୁଅ ପିକୁନୁ ପଣ୍ଡା। ତାଙ୍କୁ ବ୍ରହ୍ମପୁର ଏମ୍କେସିଜିରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଭଦ୍ରକରେ ଯାତ୍ରାରେ ଅଶ୍ଲୀଳ ନାଚକୁ ଯୋରଦାର ବିରୋଧ କରାଯାଇଥିଲା। ଜୋତା ଫିଙ୍ଗିବା ସହ ଯାତ୍ରା ବନ୍ଦ କରିଥିଲେ ଜଣେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଯାଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଚରମ୍ପା ଅଞ୍ଚଳରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଥିଲା । ରାଜ ନନ୍ଦିନୀ ଯାତ୍ରା ପାର୍ଟିର ରାନୀ ପ୍ରିୟଦର୍ଶିନୀ ନାମକ ଅଭିନେତ୍ରୀ ନାଚ ପରିବେଷଣ କରିଥିଲେ । କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକଙ୍କ ମଧ୍ୟରୁ ଜଣେ ମହିଳା ନାଚୁଥିବା ଯାତ୍ରା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଜୋତା ଫିଙ୍ଗିବା ପରେ ମଧ୍ୟ ଅଭିନେତ୍ରୀ ଜଣଙ୍କ ନୃତ୍ୟ ଜାରି ରଖିଥିଲେ । ପରେ ଅତିଷ୍ଠ ହୋଇ ମହିଳା ଜଣଙ୍କ ଯାତ୍ରା ପେଣ୍ଡାଲ ଉପରକୁ ଉଠିଥିଲେ । ଏବଂ ଯାତ୍ରା ନୃତ୍ୟ ବନ୍ଦ କରିବାକୁ ମଞ୍ଚ ଉପରେ ଅଡ଼ି ବସିଥିଲେ । ବେଶ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଯାତ୍ରା । ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ମହିଳାଙ୍କୁ ବହୁ ବୁଝାସୁଝା କରିଥିଲେ । ପରବର୍ତ୍ତୀ ସମୟରେ ବୁଝାସିଝା ପରେ ଯାତ୍ରା ପୁଣି ଆରମ୍ଭ ହୋଇଥିଲା ।