ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବର୍ଷା ହେବାରୁ ବର ଗଛ ମୂଳରେ ଛିଡ଼ା ହୋଇଥିଲେ। ହଠାତ୍ ବଜ୍ରପାତ ହେବାରୁ ଗଛ ମୂଳରେ ଟଳି ପଡ଼ିଲେ ୩ ଯୁବକ। ଅନ୍ୟ ୨ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି। ଆଜି ଅପରାହ୍ନରେ ଏପରି ଦୁଃଖଦ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ମୁତାବକ, ଆଜି ପ୍ରବଳ ଗରମ ଓ ଗୁଳୁଗୁଳି ହେଉଥିଲା। ତେଣୁ ଖଲିଆପାଲି ପଞ୍ଚାୟତ ଦୁଆନଡିହିର ଧନୁର୍ଜୟ ନାୟକ, ଶୁଖଦେବ ବନଛୁର, ନିରଜ କୁମ୍ଭାର ଓ ଅନ୍ୟ ୨ ଜଣ ଯୁବକ ମଧ୍ୟାହ୍ନରେ ଖାଇସାରି ଗାଁ ମୁଣ୍ଡକୁ ବୁଲିବା ପାଇଁ ଯାଇଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତେଣୁ ସେମାନେ ଗାଁ ମୁଣ୍ଡରେ ଥିବା ବର ଗଛ ମୂଳକୁ ଚାଲି ଯାଇଥିଲେ। ସେଠାରେ ବସି କଥାବାର୍ତ୍ତା ହେଉଥିଲେ। ହଠାତ୍ ସେହି ସମୟ ବଜ୍ରପାତ ହୋଇଥିଲା।
ଆଉ ସେହି ବଜ୍ରପାତରେ ଧନୁର୍ଜୟ ନାୟକ, ଶୁଖଦେବ ବନଛୁର ଓ ନିରଜ କୁମ୍ଭାରଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ ଜଣ ଚେତାହରାଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।