ଓଡ଼ିଆ ନ୍ୟୁଜ, ଭୁବନେଶ୍ୱର: ମିଶନ୍ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ । ତେବେ ମିଶନ ଶକ୍ତିରେ ମହିଳା ମାନଙ୍କୁ ସ୍କୁଟି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏହି ଯୁଗାନ୍ତକାରୀ ସ୍କୁଟର ଯାେଜନାରେ ୧୫ ହଜାର ମାଆ ନେଇଛନ୍ତି ସ୍କୁଟର। ଆଗକୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ବ ମାଆ ମାନେ ସ୍କୁଟର ନେବେ ।
ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣକୁ ଏକ ସ୍ଲୋଗାନ ନୁହେଁ ବରଂ ପ୍ରଗତିର ମନ୍ତ୍ର ଭାବେ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ୍ ଶକ୍ତି ମାଧ୍ୟମରେ ମହିଳମାନଙ୍କୁ ସଶକ୍ତ କରିବା ଦିଗରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ସହ ଦକ୍ଷତା ବିକାଶ ତାଲିମ ଏବଂ ନୂତନ ଜୀବିକାର ରାହା ଦେଖାଇ ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ରଖାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି । ତେବେ ମହିଳା ସଶକ୍ତିକରଣ ସାଙ୍ଗକୁ ଗମନାଗମନ ସୁବିଧା ପାଇଁ ମିଶନ ଶକ୍ତି ସ୍କୁଟର ଯୋଜନା ପ୍ରସ୍ତାବ ରଖାଯାଇଛି ।
କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ ଇସି ସଦସ୍ୟାମାନଙ୍କ ପାଇଁ ବୈଦ୍ୟୁତିକ ସ୍କୁଟର ପାଇଁ ସହାୟତା ଯୋଗାଇ ଦିଆଯିବ । ଏହି ଯୋଜନା ଅଧିନରେ ସ୍କୁଟର କ୍ରୟ ପାଇଁ ବ୍ୟାଙ୍କ ଋଣ ଉପରେ ସମ୍ପୂର୍ଣ୍ଣ ସୁଧ ରିହାତି ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୨୦୨୩-୨୪ ଆର୍ଥିକ ବର୍ଷରେ ୫୦କୋଟି ଟଙ୍କାର ବଜେଟ୍ ଆବଣ୍ଟନ ପ୍ରସ୍ତାବ ରଖାଯାଇଛି ।