ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରମ୍ଭ ହେଲା ବହୁ ପ୍ରତୀକ୍ଷିତ ଭୋଟ ଗଣତି । ଆଜି ତଥା ମଙ୍ଗଳବାର ସକାଳ ୮ଟାରୁ ଆରମ୍ଭ ହେଲା ଭୋଟ ଗଣନା। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ପ୍ରକାଶ କରିଛନ୍ତି।
ସେହିପରି ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ଏହାର ଉଲ୍ଲଂଘନ କଲେ ନିର୍ବାଚନ କମିଶନଙ୍କ ଗାଇଡ୍ଲାଇନକୁ ଭିତ୍ତିକରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଫଳାଫଳ ସ୍ପଷ୍ଟ ହେବ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି ଚାଲିଛି । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି । ସେହିିପରି ଲୋକସଭା ତଥା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବିଧାନସଭା ନିର୍ବାଚନର ଭୋଟ୍ ଗଣତି ସକାଳ ୮ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି।
ନିର୍ବାଚନ ପରିଚାଳନା ନିୟମାବଳୀ, ୧୯୬୧ର ନିୟମ ୫୪-ଏ ଅନୁଯାୟୀ ପ୍ରଥମେ ପୋଷ୍ଟାଲ ବାଲଟ୍ ପେପରଗୁଡ଼ିକର ଗଣନା ରିଟର୍ନିଂ ଅଫିସର(ଆର୍ଓ)ଙ୍କ ଟେବୁଲରେ ଆରମ୍ଭ ହେବ। ଭୋଟଗଣତି ଆରମ୍ଭ ପୂର୍ବରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ଆର୍ଓ ଗ୍ରହଣ କରିଥିବା ବାଲଟ୍ ପେପରଗୁଡ଼ିକୁ କେବଳ ଗଣନା ପାଇଁ ନିଆଯିବ। ପୋଷ୍ଟାଲ ବାଲାଟ ଗଣନା ଆରମ୍ଭ ହେବାର ୩୦ ମିନିଟ ପରେ ଇଭିଏମ୍ ଭୋଟ ଗଣନା ଆରମ୍ଭ ହେବ।