ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଓଡ଼ିଶା ସମେତ ଦେଶରେ ନଭେମ୍ବରରୁ ଫେବ୍ରୁଆରୀ ଯାଏ ଶୀତ କମ୍ ରହିବ । ଡିସେମ୍ବର ଓ ଜାନୁୟାରୀରେ ଅପେକ୍ଷାକୃତ କମ୍ ଶୀତ ଅନୁଭୂତ ହେବ । ଏ ବର୍ଷ ଶୀତ ଋତୁରେ ଅଧିକ ବର୍ଷା ହେବ । ସେହିଭଳି ଶୀତ ଦିନେ ଅଧିକ ତାପମାତ୍ରା ଓ ମଝିରେ ମଝିରେ ବର୍ଷା ଯୋଗୁ ଶୀତଦିନିଆ ଫସଲ ଅମଳ କମିବ ।
ବଙ୍ଗୋପସାଗର ଅଞ୍ଚଳରୁ ପୂର୍ବାଳୀ-ତରଙ୍ଗାୟିତ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ମେଘୁଆ ପାଗ ସହ ହାଲୁକା ବର୍ଷା ଲାଗିରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ମଧ୍ୟ ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହିଲ୍ ଷ୍ଟେସନ ସିମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ କୋରାପୁଟରେ ୧୩, ଜି.ଉଦୟଗିରିରେ ୧୪, ଦାରିଙ୍ଗବାଡିରେ ୧୫, କିରେଇରେ ୧୫.୩ ଓ ଫୁଲବାଣୀରେ ୧୫.୫ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି। ବାକି ସ୍ଥାନଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଥିଲା। ନଭେମ୍ବର ୨ରୁ ୬ତାରିଖ ଯାଏ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବ । କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଉତ୍ତର ଉପକୂଳରେ ୩ ଓ ୪ରେ ବର୍ଷା ସମ୍ଭାବନା ଅଛି । ଉପକୂଳ ଓ ଉତ୍ତର ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ବଢ଼ିବ ।
ରାଜ୍ୟରେ ଦୁଇ ଦିନରେ ସର୍ବାଧିକ ତାପମାତ୍ରା ପ୍ରାୟ ୨ଡିଗ୍ରୀ ବଢ଼ିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନ ସମେତ ବାକି ଅଞ୍ଚଳର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆକାଶ ମେଘାଚ୍ଛନ୍ନ ରହିବ। ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଓ ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକର କେତେକ ସ୍ଥାନରେ ହାଲୁକା ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି।