ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ, ସୁରକ୍ଷା ବ୍ୟବସ୍ଥା କଡାକଡି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତାକାଲି ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ଚାରିଆଡେ ଉତ୍ସବ ମୁଖର । ପରେଡ ରିହର୍ସାଲ ଶେଷ ହୋଇଛି । ସ୍ୱାଧୀନତା ଦିବସ ପାଇଁ କଡା ସୁରକ୍ଷା ବଳୟ ଭିତରେ ଦିଲ୍ଲୀ । ରାଷ୍ଟ୍ରୀୟ ରାଜଧାନୀକୁ ଜଗିବେ ୧୦ ହଜାର ପୋଲିସ ଫୋର୍ସ । ଖାଲି ସେତିକି ନୁହେଁ, ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଅନ୍ୟ ସୁରକ୍ଷା ବାହିନୀ ମଧ୍ୟ ସଜାଗ ରହିବେ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ସ୍ୱାଧୀନତା ଦିବସ ସମାରୋହ ବେଳେ କେହି ଯେପରି ଅସୁବିଧାରେ ନପଡନ୍ତି, ଏହାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ସ୍ୱାଧୀନତା ଦିବସ ସମାରୋହ ଦେଖିବାକୁ ଆସୁଥିବା ଲୋକ ଯେପରି କିଛି ଅସୁବିଧାରେ ନପଡନ୍ତି, ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଛି। ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ, ୧୦ ହଜାର ପୋଲିସ କର୍ମୀ ଦିଲ୍ଲୀର ସୁରକ୍ଷା ଦାୟିତ୍ୱରେ ରହିବେ। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ, ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ଆଣ୍ଟି ସେବୋଟେଜ୍ ଇନଭେଷ୍ଟିଗେସନ୍ ଆକ୍ସେସ୍ କଣ୍ଟ୍ରୋଲ ଏବଂ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ସାମିଲ ଅଛନ୍ତି ।
ଏହାସହ ଆତଙ୍କୀ କାର୍ୟ୍ୟକଳାପ ଉପରେ ନଜର ରଖିବାକୁ ଏଆଇ ଆଧାରିତ ସିଷ୍ଟମ ମଧ୍ୟ ରଖାଯାଇଛି । ରବିବାର ଅଗଷ୍ଟ ୧୩ ତାରିଖ ମଧ୍ୟରାତ୍ରିରୁ ଦିଲ୍ଲୀରେ ଭାରିଯାନଙ୍କର ପ୍ରବେଶ ବାରଣ କରିଦିଆଯାଇଛି । ସୀମା ଉପରେ ମଧ୍ୟ ତୀକ୍ଷଣ ନଜର ରଖାଯାଇଛି । ଅନ୍ୟପଟେ ମୁଖ୍ୟ ସ୍ଥାନ ଗୁଡିକରେ ପୋଲିସ ଛାନଭିନ୍ ଜାରି ରହିଥିବାବେଳେ, ପୂରା ସହର ଏବେ କଡା ସୁରକ୍ଷା ବଳୟ ଭିତରେ ରହିଛି ।

ଏହି ଅବସରରେ ସରକାର ସଂସଦ ଗୃହ ନିର୍ମାଣରେ ନିୟୋଜିତ ଶ୍ରମିକଙ୍କ ସମେତ ୧୮୦୦ ଲୋକଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ଏଥି ସହିତ, ପ୍ରତ୍ୟେକ ରାଜ୍ୟ / ୟୁନିଅନ୍‌ ଟେରିଟୋରୀରୁ ୭୫ ଦମ୍ପତିଙ୍କୁ ମଧ୍ୟ ସେମାନଙ୍କର ପାରମ୍ପାରିକ ପୋଷାକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି । ଏଥିସହ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ସରକାରଙ୍କ ବିଭିନ୍ନ ଯୋଜନା ତଥା ପଦକ୍ଷେପ ପାଇଁ ଉତ୍ସର୍ଗୀକୃତ ’ସେଲଫି ପଏଣ୍ଟ’ ଜାତୀୟ ଯୁଦ୍ଧ ମେମୋରିଆଲ, ଇଣ୍ଡିଆ ଗେଟ୍‌, ବିଜୟ ଚକ୍‌ ସମେତ ୧୨ ଟି ସ୍ଥାନରେ କରାଯାଇଛି ।

Leave A Reply

Your email address will not be published.