ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କନ୍ଧମାଳ ଜିଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଡ଼ା କୁନ୍ଦେଲ ଗ୍ରାମରେ ମୋହନ ପନ୍ଦର ଓ ତାଙ୍କ ପୁଅ ଅନୁଜଙ୍କୁ ଏସିଡ୍ ମାଡ଼ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ମୋହନଙ୍କ ଝିଅ ଓ ତାଙ୍କ ପ୍ରେମିକ ମିଶି ଏଭଳି କାଣ୍ଡ ଘଟାଇଛନ୍ତି। ଗୋଟିଏ ପଟେ ପ୍ରେମରେ ବାଧା, ଅନ୍ୟପଟେ ଗୁଣିଗାରେଡ଼ି ସନ୍ଦେହ ଯୋଗୁ ସେମାନେ ମୋହନଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ।
ପୋଲିସ ଅଭିଯୁକ୍ତା ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ସେହି ଗ୍ରାମର ବିଜୟ ମାଝୀଙ୍କୁ ରବିବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେପଟେ ଏସିଡ୍ ମାଡ଼ରେ ଗୁରୁତର ମୋହନ ଓ ତାଙ୍କ ପୁଅ ଅନୁଜଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଫୁଲବାଣୀସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ସୂଚନା ମୁତାବକ, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଢ଼ା କୁନ୍ଦେଲି ଗାଁରେ ଘଟିଥିବା ଏସିଡ୍ ମାଡ଼ ଘଟଣାରେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ୍। ଏହି ଘଟଣାରେ ପୁଲିସ ତଦନ୍ତ କରି ମୋହନ ପନ୍ଦରଙ୍କ ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ବିଜୟ ମାଝୀକୁ ଗିରଫ କରି ଜେଲ ପଠାଇଛି ।
ପୁଷ୍ପାଞ୍ଜଳି ପନ୍ଦର ହେଉଛନ୍ତି ମୋହନ ପନ୍ଦରଙ୍କ ପ୍ରଥମ ପତ୍ନୀଙ୍କ ଝିଅ। ସେ ବିଜୟ ମାଝୀଙ୍କୁ ଭଲ ପାଉଥିଲେ। ଝିଅର ଏହି ପ୍ରେମ ସମ୍ପର୍କକୁ ମୋହନ ପନ୍ଦର ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଝିଅ ଓ ବାପାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଥିଲା । ଆଉ ପୂର୍ବ ଯୋଜନା ମୁତାବକ, ରାତିରେ ଘର ବାହାରେ ଶୋଇଥିବା ବାପା ମୋହନ ଓ ତାଙ୍କ ପୁଅ ଉପରେ ଝିଅ ପୁଷ୍ପାଞ୍ଜଳି ଏସିଡ୍ ଢ଼ାଳି ଦେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣା ପଡିବା ସହ ନିଜ ଝିଅ ଓ ତାର ପ୍ରେମିକା ହିଁ ଏଭଳି କାଣ୍ଡ ଭିଆଇଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି। ପ୍ରେମିକ ନିକଟରୁ ବଳକା ଏସିଡକୁ ପୁଲିସ ଜବତ କରିଛି।