ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନର୍ସଙ୍କ ଡ୍ରେସ କୋଡ୍। ଏଣିକି ନୂଆ ରଙ୍ଗ ଓ ନୂଆ ଡିଜାଇନର ଡ୍ରେସ୍ ପିନ୍ଧିବେ ନର୍ସ। ଆଉ ସେଥିରେ ରହିବ ସମ୍ବଲପୁରୀ ଛିଟ। ଲାଭେନଣ୍ଡର୍ ବା ହାଲୁକା ବାଇଗଣୀ ରଙ୍ଗର ଡ୍ରେସ୍ ପିନ୍ଧିବେ ନର୍ସମାନେ। ଉଭୟ ପୁରୁଷ ଓ ମହିଳା ନର୍ସମାନେ ଈଷତ୍ ବାଇଗଣୀ ରଙ୍ଗର ପ୍ୟାଣ୍ଟ୍ ସର୍ଟ ପିନ୍ଧିବେ।
ଆସିଷ୍ଟାଣ୍ଟ୍ ନର୍ସିଂ ସୁପରିଟେଣ୍ଡଣ୍ଟ୍ ମାନେ ସାୟନ୍ ବ୍ଲୁ ଅର୍ଥାତ ଲାଇଟ୍ ନୀଳ ରଙ୍ଗର ଡ୍ରେସ୍ ପିନ୍ଧିବେ। ତେବେ ସିନିୟର୍ ନର୍ସିଂ ଅଫିସରଙ୍କ ପାଇଁ ଈଷତ୍ ବାଇଗଣୀ ରଙ୍ଗର ଡ୍ରେସ୍ କୋଡ୍ ଥିବାବେଳେ ଆସିଷ୍ଟାଣ୍ଟ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ କେୟନ ବ୍ଲୁ ରଙ୍ଗର ଡ୍ରେସ୍ କୋଡ୍ ରହିଛି। ସେହିପରି ଡେପୁଟି ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ/ନର୍ସିଂ ସୁୁପରିଣ୍ଟେଣ୍ଡେଣ୍ଟଙ୍କ ପାଇଁ ଧଳା ରଙ୍ଗ ରହିଛି। ଜେନେରାଲ ଓ୍ବାର୍ଡରେ ଡ୍ୟୁଟି କରୁଥିବା ନର୍ସ ଧଳା ରଙ୍ଗର ଆପ୍ରନ୍ ପିନ୍ଧିବେ ବୋଲି ନିଷ୍ପତ୍ତି ନିଆଯାଇଛି।
ନର୍ସିଂ ଅଫିସରଙ୍କ ୟୁନିଫର୍ମ କଲାରରେ ସମ୍ବଲପୁରୀ ଝଲକ ରହିବ। ରାଜ୍ୟ ନସିଂ ମହାସଂଘର ସଂପାଦକ ଅଶ୍ୱିନୀ କୁମାର ଦାସ କହିଛନ୍ତି, ଡ୍ରେସ କୋଡ୍ ପରିବର୍ତ୍ତନ କରିଥିବାରୁ ଆମେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ ଓ ସରକାରଙ୍କର ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ। ଆମେ ଯେଉଁ ୧୦ ଦଫା ଦାବି ସରକାରଙ୍କ ନିକଟରେ ରଖିଥିଲୁ, ଏହା ମଧ୍ୟ ଏକ ପ୍ରମୁଖ ଦାବି ଥିଲା। ସରକାର ଆଜି ଏହାକୁ ପୂରଣ କରିଛନ୍ତି। ଓଡ଼ିଶାରେ ୧୫ରୁ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ।