ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।ଆଗକୁ ଆସୁଛି ୨୦୨୪ ନିର୍ବାଚନ ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ ।
ଆସନ୍ତାକାଲି ପୂର୍ବାହ୍ନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ପୂର୍ବରୁ ସ୍ମାରକୀ ପଦଯାତ୍ରା ସହ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୩ ଲକ୍ଷ ଲୋକ ଆସି ଟ୍ରେନିଂ ନେଇଛନ୍ତି। ଛାତ୍ର ଓ ଯୁବବର୍ଗଙ୍କ ଠାରୁ ଆରମ୍ଭ କରି ମହିଳାଙ୍କ ପ୍ରତ୍ୟେକ ଶାଖାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାରୁ ସମସ୍ତେ ଯୋଗ ଦେବେ। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଯେଉଁ ସବୁ ପରିବେଶଭିତ୍ତିକ ଓ ସାମାଜିକ କାର୍ଯକ୍ରମ ରହିଛି ସେସବୁ ପ୍ରତିଷ୍ଠା ଦିବସରେ ଅନୁଷ୍ଠିତ ହେବ। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଏହାକୁ ପାଳନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯକ୍ରମ ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରାଯିବ।
ପ୍ରତିଷ୍ଠା ଦିବସରେ ଜୀବନ ବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ ହେବ। ସେହିପରି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ନେଇ ସଭା ହେବ। କଟକସ୍ଥିତ ଆନନ୍ଦଭବନରୁ ଭୁବନେଶ୍ବରର ଶଙ୍ଖ ଭବନ ପର୍ଯ୍ୟନ୍ତ ସାଇକେଲ ରାଲି ହେବ। ଏହି କାର୍ଯ୍ୟକ୍ରମରେ ଯୁବ କର୍ମୀ ଓ ଯୁବକମାନେ ଅଂଶଗ୍ରହଣକରିବେ। ସେହିପରି ପ୍ରତିଷ୍ଠା ଦିବସରେ ଗଣଦୌଡ଼ର ଆୟୋଜନ ହେବ।