ଓଡିଆ ନ୍ୟୁଜ୍(ବ୍ୟୁରୋ): ଭାରତୀୟ ହସ୍ତଶିଳ୍ପ ପରିଷଦ ଦ୍ୱାରା ଅନୁବନ୍ଧିତ ଓଡିଶା ହସ୍ତଶିଳ୍ପ ପରିଷଦ ପକ୍ଷରୁ ଆଜି ଭୁବନେଶ୍ୱର କ୍ଲବ୍ ଆନୁକୂଲ୍ୟରେ ମାଷ୍ଟର କ୍ରାଫ୍ଟର୍ସ୍ ନାମକ ପ୍ରଥମ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି । ଦୁଇଦିନ ବ୍ୟାପୀ ଆୟୋଜିତ ଏହି ପ୍ରଦର୍ଶନୀରେ ରାଜ୍ୟ ତଥା ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ଶ୍ରେଷ୍ଠ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର, ପଥର ଖଚିତ କାର୍ଯ୍ୟ, ଚାନ୍ଦୁଆ, ହାତବୁଣା ଇକତ, ଢୋକ୍ରା, ରୂପା ଫିଲିଗ୍ରି ଏବଂ ନଡାରେ ପ୍ରସ୍ତୁତ ଉତ୍ପାଦ ପରି ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶିତ ହେବ ।
ଓଡିଶା ସରକାରଙ୍କ ବୟନଶିଳ୍ପ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଆଇଏଏସ୍ ଶ୍ରୀମତୀ ଶୁଭା ଶର୍ମା, ଓଡିଶା ହସ୍ତଶିଳ୍ପ ପରିଷଦର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍ ଶ୍ରୀଯୁକ୍ତ ସନ୍ତୋଷ ମହାପାତ୍ରଙ୍କର ସଦୟ ଉପସ୍ଥିତିରେ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ହସ୍ତଶିଳ୍ପ ପରିଷଦର ସମ୍ପାଦକ ଶ୍ରୀଯୁକ୍ତ ରାଜୀବ ସାହୁ, ଯୁଗ୍ମ ସମ୍ପାଦକ ଶ୍ରୀମତୀ ପାରମିତା ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀମତୀ ଆଦ୍ୟଶା ଦାଶ ଏବଂ ହସ୍ତଶିଳ୍ପରେ ରୁଚି ରଖୁଥିବା ସଦସ୍ୟ ଶ୍ରୀମତୀ ରେବତୀ ପାଣି, ଶ୍ରୀମତୀ ରଶ୍ମି ମହାପାତ୍ର, ଶ୍ରୀଯୁକ୍ତ ତପନ ମହାନ୍ତି, ଦେବେଶ ସିହ୍ନା, ସଞ୍ଜନା ପଟ୍ଟନାୟକ, ରମେଶ ସ୍ୱାଇଁ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଶ୍ରୀମତୀ ଶର୍ମା ଓଡିଶା ହସ୍ତଶିଳ୍ପ ପରିଷଦର ଗଠନକୁ ସ୍ୱାଗତ କରିବା ସହିତ ଏହି ପରିଷଦ ରାଜ୍ୟରେ ହସ୍ତଶିଳ୍ପର ବିକାଶରେ ଏକ ଆଦର୍ଶ ଅଂଶୀଦାର ହୋଇପାରିବ ବୋଲି ଆଶା ପ୍ରକଟ କରିଥିଲେ । ମାଷ୍ଟର କ୍ରାଫ୍ଟର୍ସ୍ ପରି ରାଜ୍ୟ ତଥା ଜାତୀୟ ସ୍ତରରେ ଆୟୋଜିତ ଛୋଟ ଇନଡୋର ପ୍ରଦର୍ଶନୀକୁ ସେ ପ୍ରଶଂସା କରିଥିଲେ । ଆହୁରି ମଧ୍ୟ ସେ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ଯେ ଭାରତର ସମସ୍ତ ଶିଳ୍ପ ସମୃଦ୍ଧ ରାଜ୍ୟରେ ଭାରତୀୟ ହସ୍ତଶିଳ୍ପ ପରିଷଦ ଦ୍ୱାରା ଅନୁବନ୍ଧିତ ଶିଳ୍ପ ପରିଷଦ ରହିଛି ଯାହା ପରବର୍ତ୍ତୀ ସମୟରେ ବିଶ୍ୱ ହସ୍ତଶିଳ୍ପ ପରିଷଦ ସହିତ ଅନୁବନ୍ଧିତ ହୋଇପାରିଛି । ଓଡିଶା ହସ୍ତଶିଳ୍ପରେ ସମୃଦ୍ଧ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବା ସତ୍ତ୍ୱେ ଓଡିଶାରେ ଏପରି ଏକ ପରିଷଦ ନଥିଲା ଏବଂ ପରିଶେଷରେ ହସ୍ତଶିଳ୍ପରେ ରୁଚି ପ୍ରତିପୋଷଣ କରୁଥିବା କିଛି ହସ୍ତଶିଳ୍ପ ପ୍ରେମୀଙ୍କର ଆଗ୍ରହ ଯୋଗୁଁ ଆଜି ଏହି ପରିଷଦ ସୃଷ୍ଟି ହୋଇପାରିଛି । ଆୟୋଜିତ ଏହି ପ୍ରଦର୍ଶନୀ ହେଉଛି ପରିଷଦର ପ୍ରଥମ ପଦକ୍ଷେପ ଏବଂ ଆଗାମୀ ଦିନରେ ହସ୍ତଶିଳ୍ପର ବିକାଶ ଓ ହସ୍ତଶିଳ୍ପ କାରିଗରମାନଙ୍କ ଲାଭ ନିମନ୍ତେ ପରିଷଦ ପକ୍ଷରୁ ଆହୁରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସର୍ବସାଧାରଣଙ୍କ ନିମନ୍ତେ ଏହି ପ୍ରଦର୍ଶନୀ ଆଜି ରାତ୍ରି ୮ ଘଟିକା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ଅର୍ଥାତ୍ ମଇ ୧ ତାରିଖରେ ଦିବା ୧୧ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ । ଏହି କାର୍ଯ୍ୟକ୍ରମରେ ଓଡିଶାର ଉତ୍କର୍ଷ କାରୁକାର୍ଯ୍ୟ ପ୍ରଦର୍ଶିତ ହେବା ସହିତ ପୁରସ୍କୃତ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କାରୁକାର୍ଯ୍ୟ ଯେପରିକି ବିଜୟ ପରିଡା, ପୂର୍ଣ୍ଣଚନ୍ଦ୍ର ମହାରଣା ଏବଂ ଦ୍ୱିଜବର ଦାସଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର, କଳ୍ପତରୁ ମହାରଣା ଏବଂ କେଶବ ମହାରଣାଙ୍କ ଦ୍ୱାରା ପ୍ରସ୍ତୁତ ପଥର ଖୋଦିତ କାର୍ଯ୍ୟ, ରବୀନ୍ଦ୍ର ବେହେରାଙ୍କ ଦ୍ୱାରା ତାଳପତ୍ର ଖୋଦିତ କାର୍ଯ୍ୟ, କବି ମହାନ୍ତିଙ୍କର ଚାନ୍ଦୁଆ କାରୁକାର୍ଯ୍ୟ, ପଙ୍କଜ କୁମାର ସାହୁଙ୍କର ରୂପା ଫିଲିଗ୍ରି, ସାମୁଦ୍ରିକ ଶଙ୍ଖରେ ଜଗନ୍ନାଥ ମହାପାତ୍ରଙ୍କର କାରୁକାର୍ଯ୍ୟ ଏବଂ ହରିଶଙ୍କର ମେହେର ଏବଂ ଅର୍ଜୁନ ପାଲଙ୍କ ଦ୍ୱାରା ପ୍ରସ୍ତୁତ ହାତବୁଣା ଇକତ ହସ୍ତଶିଳ୍ପ ଆଦିର ପ୍ରଦର୍ଶନୀ ଅନୁଷ୍ଠିତ ହେବ ।
ଆହୁରି ଅନେକ ଉତ୍କୃଷ୍ଟ କାରିଗରମାନଙ୍କୁ ସୁଯୋଗ ପ୍ରଦାନ କରାଯିବା ବିଷୟରେ ପରିଷଦ ଅବଗତ ଅଛି ଏବଂ ଏହି କ୍ଷେତ୍ରରେ ଡିଜାଇନ, କଂଚାମାଲ ଏବଂ ବ୍ୟବସାୟୀକରଣ ଦିଗରେ ଅନେକ କାର୍ଯ୍ୟକଳାପ ଆୟୋଜନ କରାଯିବାର ଆବଶ୍ୟକତା ରହିଛି । ଶିଳ୍ପ, ସରକାର, ଅନୁଷ୍ଠାନ ଏବଂ ହସ୍ତଶିଳ୍ପ ପ୍ରେମୀ ପୃଷ୍ଠପୋଷକଙ୍କ ସହଯୋଗରେ ଓଡିଶା ହସ୍ତଶିଳ୍ପ ପରିଷଦ ଉପରୋକ୍ତ କାର୍ଯ୍ୟକୁ ଆଗାମୀ ଦିନରେ ଫଳପ୍ରଦ କରିବାକୁ ଆଶା ରଖିଛି ।