ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଦେଇ ଯାଇଥିବା ମହାନଦୀରେ ଘଡ଼ିଆଳ ମା’ କୁମ୍ଭୀର ପୁଣି ଛୁଆ ଦେଇଛି। ମୋଟ ୩୫ଟି ଅଣ୍ଡା ମଧ୍ୟରୁ ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର କୋଳରେ ଖେଳୁଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ସମସ୍ତ ଛୁଆ ଫୁଟି ଏବେ ମାଆ କୁମ୍ଭୀର କୋଳରେ ଖେଳୁଛନ୍ତି। ଛୁଆଙ୍କୁ ଜଗିଛି ବନ ବିଭାଗର ୩ ଦଳ।
ସାତକୋଶିଆରେ ଏହି ମାଆ କୁମ୍ଭୀର ୪ ବର୍ଷ ହେଲା ଏମିତି ଖୁସି ଖବର ଦେଉଥିବାବେଳେ ମହାନଦୀରୁ ଘଡ଼ିଆଳ ଛୁଆ ଗାଏବ୍ ହୋଇଯାଉଛନ୍ତି। କୁମ୍ଭୀର ଗଣନାବେଳେ କେତେକ ଘଡ଼ିଆଳ ଛୁଆ ନଜରରେ ପଡ଼ୁନାହାନ୍ତି। ଅନ୍ୟ ବର୍ଷ ଭଳି ଏ ବର୍ଷ ଘଡ଼ିଆଳ ଛୁଆ ଗାଏବ ନହେବା ପାଇଁ ସାତକୋଶିଆ କର୍ତ୍ତୃପକ୍ଷ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସାତକୋଶିଆ ଡିଏଫ୍ଓ ସରୋଜ ପଣ୍ଡା ପ୍ରକାଶ କରିଛନ୍ତି। ଭାରତରେ ଦେଖାଯାଉଥିବା ତିନି ପ୍ରଜାତିର କୁମ୍ଭୀର ଯଥା ଘଡ଼ିଆଳ, ମଗର ଓ ସଲ୍ଟୱାଟର କୁମ୍ଭୀର ରହିଛନ୍ତି।
ଚଳିତ ବର୍ଷ ଗତ ୨୪ ତାରିଖରେ ଏହି ଘଡ଼ିଆଳ ମାଆ କୁମ୍ଭୀର ପୁଣି ୩୫ଟି ଶାବକଙ୍କୁ ମହାନଦୀ ବକ୍ଷକୁ ଆଣିଛି। ମାଆ କୁମ୍ଭୀର ସହ ଶାବକଗୁଡ଼ିକ ମଝିପଡ଼ା-ବଳଦମରା ନିକଟରେ ମହାନଦୀ କୂଳରେ ଖେଳୁଛନ୍ତି। ଛୁଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଘଡ଼ିଆଳ ମାଆ ଓ ଛୁଆଙ୍କ ଗତିବିଧି ଉପରେ ନଜର ରଖିବାକୁ ଏକ ମନିଟରିଂ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏକ ଦେଶୀ ଡଙ୍ଗାରେ ଯାଇ ସେଠାରେ ପଇଁତରା ମାରୁଛି।