ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ସବୁ ପ୍ରତୀକ୍ଷାର ଅବସାନ ଘଟିଲା । ମାସରୁ ଅଧିକ ସମୟ ହେଲା ଫେରାର୍ ଥିବା ପଳାତକ ଖଲିସ୍ତାନୀ ନେତା ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ଅମ୍ରିତପାଲ ସିଂହ ଗିରଫ ହୋଇଛି । ଆଜି ଆଜି ସକାଳୁ ପଞ୍ଜାବର ମୋଗା ଜିଲ୍ଲାରୁ ତାକୁ ଗିରଫ କରାଯାଇଛି । ପଞ୍ଜାବ ପୋଲିସ ଏବଂ ଗୁଇନ୍ଦା ବିଭାଗ ମିଳିତ ଅପରେସନ କରି ପଳାତକ ଖଲିସ୍ତାନୀ ନେତାକୁ ଗିରଫ କରିଛି । ମୋଗା ଗ୍ରାମରେ ଆତ୍ମଗୋପନ କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ ମାର୍ଚ୍ଚ ୧୮ ତାରିଖରୁ ଖଲିସ୍ତାନୀ ନେତା ଅମ୍ରିତପାଲ ସିଂହ ଫେରାର୍ ରହିଥିଲା । ତାକୁ ଧରିବା ପଞ୍ଜାବ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିଲା । ପୋଲିସ ଚାରିଆଡେ ଖୋଜାଖୋଜି କରିଥିଲା ହେଲେ କୌଣସି ଟେର୍ ପାଇନଥିଲା । ପୋଲିସକୁ ଚକମା ଦେଇ ଅମ୍ରିତପାଲ ଅନେକ ସହରରେ ବେଶ ବଦଳାଇ ବୁଲୁଥିବା କୁହାଯାଉଥିଲା । କୌଣସି ଖୋଜଖବର ନମିଳିବାରୁ ଅମ୍ରିତପାଲ ସିଂହକୁ ପଳାତକ ଘୋଷିତ କରିଥିଲା ପୋଲିସ ।
ଏହି ଘଟଣାରେ ପୋଲିସ ତା’ର ଅନେକ ସହଯୋଗୀଙ୍କୁ ଗିରଫ କରି ପଚରାଉଚରା ମଧ୍ୟ କରିଥିଲା ।ପଳାତକ ଅମ୍ରିତପାଲକୁ ଧରିବାରେ ବିଫଳ ହେବାରୁ ପଞ୍ଜାବ ଓ ହରିୟାଣା କୋର୍ଟ ପୋଲିସ ଉପରେ ବର୍ଷିଥିଲେ । ଶେଷରେ ପଞ୍ଜାବ ପୋଲିସ ଓ ଅମ୍ରିତପାଲ ସିଂହ ମଧ୍ୟରେ ଲୁଚକାଳି ଖେଳ ସରିଛି । ଦୀର୍ଘ ଦିନ ଧରି ଫେରାର୍ ଥିବା ଏହି ଖଲିସ୍ତାନୀ ନେତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଭାରତୀୟ ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, ୱାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲର ପାଇସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ସମ୍ପର୍କ ରହିଛି । ସେ ଦୁବାଇରେ ଆଇଏସଆଇ ସହ ସମ୍ପର୍କରେ ଆସିଥିଲା । ଆଇଏସଆଇ ନିର୍ଦ୍ଦେଶରେ ସେ ଶିଖ୍ ଯୁବଗୋଷ୍ଠୀଙ୍କୁ ନେଇ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଥିଲା ।