ଓଡ଼ିଶାରେ ବୁଲୁଛି ମହାରାଷ୍ଟ୍ରର ମହାବଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ । ବନ ବିଭାଗ ପକ୍ଷରୁ କରାଯାଇଥିବା ଫଟୋକୁ ଯାଂଚ କରି ବାଘଟି ମହାରାଷ୍ଟ୍ରର ବୋଲି ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।

୭୫୦ କିଲୋମିଟର ଅତିକ୍ରମ କରି ଭାରତର ପଶ୍ଚିମରେ ଥିବା ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାର ମହେନ୍ଦ୍ରଗିରି ରେଞ୍ଜକୁ ଆସିବା ନିହାତି ଆଶ୍ଚର୍ଯ୍ୟଜନକ କଥା । ଏହା ମଧ୍ୟ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଚକିତ କରିଛି । ସୁରକ୍ଷିତ ବାସସ୍ଥାନ ଓ ସାଥି ସନ୍ଧାନରେ ଏହା ଆସି ଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ମହାବଳ ବାଘଟି ଏତେ ଦୂରକୁ ନଦୀନାଳ, କୃଷି କ୍ଷେତ୍ର, ରାସ୍ତା ଓ ଜନବସତି ଡେଇଁ ଏତେ ବାଟ ଅତିକ୍ରମ କରିବା ଖୁବ୍ ବିରଳ ବୋଲି କୁହାଯାଉଛି । ବାଟରେ ଏହା କୌଣସି ମଣିଷକୁ ଆକ୍ରମଣ କରିବାର ମଧ୍ୟ କୌଣସି ସୂଚନା ମିଳିନି । ଭାରତରେ ବାଘ ଅତିକ୍ରମ କରିଥିବା ଏହା ଦ୍ବିତୀୟ ଦୀର୍ଘ ପଥ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

କିଛି ଦିନ ତଳେ ଗଜପତି ଜିଲ୍ଲା ରାୟଗଡ଼ା ଅଞ୍ଚଳରେ ବାଘଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡ଼ିବା ପରେ ଆତଙ୍କ ଦେଖାଦେଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହେବା ପରେ ବାଘର ସ୍ଥିତି ସ୍ପଷ୍ଟ ହୋଇଥିଲା । ତେବେ ମହାବଳ ବାଘ ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ୫ଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଛି । ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳା ପଟି ପଟି ଦାଗରୁ ଏହା ଜାଣିବାକୁ ପାଇଛି ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ବନ୍ୟାପ୍ରାଣୀ ପିସିସିଏଫ୍ ଙ୍କ ସୂଚନା ଅନୁସାରେ, ୨୦୨୧ରେ ଏହି ମହାବଳ ବାଘର ଫଟୋ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା । ଏବେ ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ଦେଇ ଓଡ଼ିଶାରେ ପହଞ୍ଚିଛି ।

Leave A Reply

Your email address will not be published.