ମଙ୍ଗଳାଯୋଡିରେ ଚାଲିବ ବ୍ୟାଟେରୀ ଚାଳିତ ବୋଟ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ ହାଇକୋର୍ଟ, କିନ୍ତୁ ଏହା ସମ୍ଭବ ନୁହେଁ ଦର୍ଶାଇଲା ମତ୍ସ ଅଧିକାରୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ବଦଳରେ ସୌରଚାଳିତ ବୋଟ ଓ ବ୍ୟାଟେରୀ ବୋଟ ଚଳାଇବା ପାଇଁ ହାଇକୋର୍ଟଙ୍କ ପ୍ରସ୍ତାବ ଉପରେ ସତ୍ୟପାଠ ଦାଖଲ କରିଛନ୍ତି ମତ୍ସ ଅଧିକାରୀ। ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗକୁ ନେଇ ମାମଲାର ଶୁଣାଣି କରି ମୋଟର ବୋଟ ବଦଳରେ ସୌର ଓ ବ୍ୟାଟେରୀ ଚାଳିତ ବୋଟ ଚଳାଇବାକୁ ପ୍ରସ୍ତାବ ଦେଇଥିଲେ ହାଇକୋର୍ଟ। ତେବେ ସୌରଚାଳିତ ବୋଟ ବା ମୋଟର ବୋଟ ଚଳାଇବା ସମ୍ଭବ ନୁହେଁ ବୋଲି ମତ୍ସ ଅଧିକାରୀ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଯାଇଛି। ପୂର୍ବରୁ ଏହି ମାମଲାର ଶୁଣାଣି କରି ଏ ସମ୍ପର୍କରେ ରାଜ୍ୟ ମତ୍ସ ବିଭାଗ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

ମୋଟର ବୋଟ ଯୋଗୁଁ ଉଚ୍ଚ ଶବ୍ଦ ହେଉଥିବା ବେଳେ ଏଥିପାଇଁ ପକ୍ଷୀମାନେ ଭୟଭିତ ହୋଇ ମଙ୍ଗଳାଯୋଡି ଆସୁ ନ ଥିବା ଦର୍ଶାଇ ମାମଲା ରୁଜ୍ଜୁ ହୋଇଛି। ଏଠାରେ ନିର୍ଭରଶୀଳ ମତ୍ସଜୀବୀ ମାନଙ୍କର ଅନ୍ୟ କୌଣସି ବେଉସା ନ ଥିବା ବେଳେ ସେମାନଙ୍କର ମୋଟର ବୋଟ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ସମୟ ଦେବାକୁ ପୂର୍ବରୁ ଦାଖଲ ହୋଇଥିବା ସତ୍ୟପାଠରେ ଅନୁରୋଧ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ପୂର୍ବରୁ ଚିଲିକା ଡିଏଫଓ ହାଜର ହୋଇ ଦର୍ଶାଇଥିଲେ ଯେ, ଓଡିଶା ମେରାଇନ ଫିସିଙ୍ଗ ରେଗୁଲେସନ ଆକ୍ଟ ୧୯୮୧ର ସଂଶୋଧନ ତଥା ଦୃଢୀକରଣ କରାଯାଇ ମୋଟରବୋଟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ।

ରାଜ୍ୟ ସରକାରଙ୍କ ଆଇନ ବିଭାଗ ଏହି ପ୍ରସଙ୍ଗରେ ପଦକ୍ଷେପ ନେଇପାରିବ। ମଙ୍ଗଳାଯୋଡି ଅଭୟାରଣ୍ୟ ହୋଇ ନ ଥିବାରୁ ମୋଟରବୋଟ ଚଳାଚଳ ନିଷେଧ କରାଯିବାରେ ସମସ୍ୟା ଦେଖାଦେଇଛି ବୋଲି ସରକାରଙ୍କ ତରଫରୁ ପୂର୍ବରୁ ମଧ୍ୟ ଦର୍ଶାଯାଇଥିଲା। ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟି(ବିଏନଏଚଏସ)ର ବିଶେଷଜ୍ଞ ମଧ୍ୟ ପୂର୍ବରୁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ହାଇକୋର୍ଟରେ ନିଜ ମତ ରଖିଥିଲେ। ଏହା ସହିତ ମାମଲାରେ ପକ୍ଷଭୁକ୍ତ ହୋଇଥିବା ସ୍ଥାନୀୟ ମତ୍ସଜୀବୀଙ୍କ ତରଫରୁ ମଧ୍ୟ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ମଙ୍ଗଳାଯୋଡି ଅଞ୍ଚଳର ଦିବାକର ବେହେରାଙ୍କ ପକ୍ଷରୁ ଏହି ମାମଲା ହାଇକୋର୍ଟରେ ରୁଜୁ ହୋଇଛି। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୮ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.