ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ତ୍ରିଶୁଳିଆ ସୁବାଷ ସେତୁ ଉପରେ ଅଜଣା ସ୍କୁଟି ମିଳିବା ଘଟଣାରେ ସସପେନ୍ସ ବଢିବାରେ ଲାଗିଛି। ଆଜି ସକାଳୁ ବ୍ରିଜ ଉପରେ ଚାବି ଲାଗିଥିବା ଅବସ୍ଥାରେ ଏକ ନାଲି ରଙ୍ଗର ସ୍କୁଟି ଥୁଆହୋଇଛି। ଏହି ସ୍କୁଟି ପାଖରେ ଏକ ଚପଲ ରହିଛି। ଯାହାକୁ ନେଇ ସନ୍ଦେହ ବଢୁଛି ।
ତେବେ ଗାଡ଼ି ନମ୍ବର ପ୍ଲେଟରୁ ଆରୋହୀଙ୍କ ପରିଚୟ ଜଣାପଡିଛି। ସ୍କୁଟିଟି କଟକ ନୂଆବଜାର ଅଞ୍ଚଳର ମମତା ସାହୁଙ୍କର ବୋଲି ଜଣାପଡ଼ିଛି। ତେବେ ମମତାଙ୍କ ସନ୍ଧାନ ମିଳି ପାରିନି। ବ୍ରିଜ ଉପରେ ସ୍କୁଟିକୁ ରଖି ଦେଇ ସେ ନଦୀକୁ ଡେଇଁ ପଡ଼ିଛନ୍ତି ନା କେଉଁଆଡ଼େ ଚାଲି ଯାଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରୁନି। ମମତା ସାହୁ କଟକର ଏକ ଘରୋଇ ସ୍କୁଲରେ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଶିକ୍ଷକତା କରି ଆସୁଛନ୍ତି । ନୂଆ ବଜାରରେ ସେ ନିଜ ସ୍ୱାମୀ ଓ ପରିବାର ସହ ରହି ଆସୁଥିଲେ ।
ଗତକାଲି ମମତା ସାହୁଙ୍କ ବାପାଙ୍କ ଶ୍ରାଦ୍ଧ ଥିବାରୁ ସ୍ୱାମୀଙ୍କ ସହ ସେ ସେଠାକୁ ଯାଇଥିଲେ। ରାତି ପ୍ରାୟ ୯ଟା ବେଳେ ଉଭୟ ନିଜ ଘରକୁ ଫେରିଥିଲେ। ମାତ୍ର ଆଜି ଭୋର ପ୍ରାୟ ୩ଟା ବେଳେ ସେ ଘରୁ ସ୍କୁଟି ଧରି ବାହାରି ଯାଇଥିବା ବେଳେ ସାଙ୍ଗରେ ମୋବାଇଲ ଫୋନ୍ ବି ନେଇ ନ ଥିଲେ। ଆଜି ସକାଳୁ ସୁବାଷ ସେତୁ ଉପରୁ ଚାବି ଲାଗିଥିବା ଅବସ୍ଥାରେ ମମତାଙ୍କର ସ୍କୁଟି ମିଳିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମମତାଙ୍କର କୌଣସି ପତ୍ତା ମିଳିନି। ମର୍କତ ନଗର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Comments are closed.