ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଉ ଦିନ କେଇଟା ପରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଲୋକାର୍ପଣ ଉତ୍ସବକୁ କାର୍ଯ୍ୟକ୍ରମକୁ ଭବ୍ୟ ଏବଂ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଦେବପୀଠକୁ ନିମନ୍ତ୍ରଣ କାର୍ଡ ବଣ୍ଟା ଆରମ୍ଭ ହୋଇଛି।
ଏହାର ଚତୁର୍ଥ ଦିନ। ୩୦ଟି ଟିମ୍ ରାଜ୍ୟ ଏବଂ ରାଜ୍ୟ ବାହାରକୁ ଯାତ୍ରା କରି ନିମନ୍ତ୍ରଣ ପତ୍ର ବଣ୍ଟୁଛନ୍ତି। ମଙ୍ଗଳବାର ଦିନ ଠାରୁ ବିଭିନ୍ନ ଦେବାଦେବୀ ପୀଠକୁ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ଆରମ୍ଭ ହୋଉଛି । ଏହି କ୍ରମରେ ଗୁରୁବାର ଗୁଜରାଟର ସୋମନାଥ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି ସ୍ବତନ୍ତ୍ର ପ୍ରତିନିଧି ଦଳ। ପୁରୀରୁ ଯାଇଥିବା ଏହି ଟିମକୁ ଭବ୍ୟ ସ୍ବାଗତ ମଧ୍ୟ କରାଯାଇଛି। ସେହିପରି ମହାରାଷ୍ଟ୍ର ନାସିକରେ ଥିବା ତ୍ରୟମ୍ବକେଶ୍ବର ଶିବ ମନ୍ଦିର, ବୋଧଗୟାର ବିଷ୍ଣୁପଦ ମନ୍ଦିର, ଗୟାଧାମ, ନବିମୁମ୍ବାଇର ଜଗନ୍ନାଥ ମନ୍ଦିରକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।
ଅନ୍ୟପଟେ, ଜମ୍ମୁର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରେ ପହଞ୍ଚି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଛି । ପୁରୀରୁ ଯାଇଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ ବୈଷ୍ଣୋଦେବୀ ମନ୍ଦିରର ସିଇଓଙ୍କୁ ପରିକ୍ରମା ନିମନ୍ତ୍ରଣ ପତ୍ର ବଣ୍ଟନ କରିଛନ୍ତି । ଲୋକାର୍ପଣ ଉତ୍ସବରେ ସାମିଲ ହେବାକୁ ସେବାୟତଙ୍କ ସହ ମନ୍ଦିର ପ୍ରଶାସନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ, ପୁରୀରୁ ଯାଇଥିବା ଏହି ଟିମକୁ ସୁନ୍ଦର ଆତିଥ୍ୟ ପ୍ରଦାନ କରିଥିଲେ ବୈଷ୍ଣୋଦେବୀ ମନ୍ଦିର କର୍ତ୍ତୃପକ୍ଷ।