ମୁସଲିମ ଅଞ୍ଚଳକୁ ମିନି ପାକିସ୍ତାନ କହିଲେ ବିଚାରପତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କ ମନ୍ତବ୍ୟକୁ ସୁପ୍ରିମ୍ କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିଛନ୍ତି। ଏକ ମାମଲାର ଶୁଣାଣି ସମୟରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ବେଙ୍ଗାଲୁରୁର ମୁସଲମାନ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହିଥିଲେ। ସୁପ୍ରିମକୋର୍ଟ ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଜବାବ ମାଗିଛନ୍ତି। ଜଷ୍ଟିସ ଶ୍ରୀଶାନନ୍ଦ ଜଣେ ଜମି ମାଲିକ ଏବଂ ଭଡ଼ାଟିଆଙ୍କ ମଧ୍ୟରେ ଚାଲିଥିବା ବିବାଦର ବାଚାର କରିବାବେଳେ ବେଙ୍ଗାଲୁରୁର ଏକ ମୁସଲିମ ଅଞ୍ଚଳକୁ ଏହା ‘ପାକିସ୍ତାନ’ ଭଳି ବୋଲି କହିଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା।

ଆଜି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଏସ୍ ଖାନ୍ନା, ବିଆର ଗଭାଇ, ଏସ କାନ୍ତ ଏବଂ ଏଚ ରୟଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କର୍ଣ୍ଣାଟକ ହାଇକୋର୍ଟଙ୍କ ଉପରେ କ୍ଷୁବ୍ଧ ହେବା ସହ ଏପରି ପ୍ରସଙ୍ଗ ଉପରେ ଚିନ୍ତା ପ୍ରକଟ କରିଛନ୍ତି। ସାମ୍ବିଧାନିକ ଖଣ୍ଡପୀଠରେ ଜଜମାନଙ୍କ ମନ୍ତବ୍ୟ ଉପରେ ଏକ ସ୍ପଷ୍ଟ ନିର୍ଦ୍ଦେଶାବଳୀ ଆଶିବାର ଆବଶ୍ୟକତା ଥିବା ସୁପ୍ରିମକୋର୍ଟ କହିଛନ୍ତି। ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଭି ଶ୍ରୀଶାନନ୍ଦ ବିଚାର ବିଭାଗୀୟ ଶୁଣାଣି ସମୟରେ ଦେଇଥିବା କେତେକ ମନ୍ତବ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି। ଖଣ୍ଡପୀଠ ଏଜି ଏବଂ ଏସଜିଙ୍କ ଠାରୁ ପରାମର୍ଶ ଲୋଡ଼ାଯାଇଛି ।

ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଏକ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୁହାଯାଇଛି। ଲାଇଭ୍ ଲ’ର ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଶ୍ରୀଶାନନ୍ଦଙ୍କ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ସେ ବିବାଦୀୟ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ଏଥିରେ ସେ ବେଙ୍ଗାଲୁରୁର ମୁସଲମାନ ଅଧ୍ୟୁଷିତ ଅଞ୍ଚଳକୁ ମିନି ପାକିସ୍ତାନ ବୋଲି କହୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଭିଡିଓରେ ସେ ମହିଳା ଓକିଲଙ୍କ ଉପରେ ଅସମ୍ବେଦନଶୀଳ ମନ୍ତବ୍ୟ ଦେଉଥିବାର ଦେଖିବାକୁ ମିଳିଛି। ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ମଧ୍ୟ ଏହି ଭିଡିଓକୁ ସେୟାର କରିଛନ୍ତି।

Comments are closed.