ଭାରତ ଇତିହାସରେ ବୀରତ୍ୱ ବଖାଣେ କାର୍ଗିଲ ଯୁଦ୍ଧ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ୧୯୯୯ ଜୁଲାଇ ମାସ ୨୬ ତାରିଖରେ ଭାରତୀୟ ସେନାର ହିମାଳୟର ଉଚ୍ଚ ଘାଟିର ଲଢେଇରେ ପାକିସ୍ତାନକୁ ଚକମା ଦେଖାଇଥିଲା। ଯାହା ଇତିହାସରେ ଚିରକାଳ ଲେଖା ହୋଇ ରହିବ । ଏହି ବିଜୟ ସହିତ ହିମାଳୟର ଉଚ୍ଚ ପାହାଡରେ ପୁଣି ଉଡିଥିଲା ତ୍ରିରଙ୍ଗା । ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଷାଠିଏ ଦିନ ଯାଏଁ ଚାଲିଥିଲା କାର୍ଗିଲ ଯୁଦ୍ଧର ଲଢେଇ । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ ।
୧୯୯୯ ମସିହା, ଆଜକୁ ଠିକ ୨୨ ବର୍ଷ ତଳେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ ।

ଏହି ଲଢେଇ ସେତେବେଳେ ହୋଇଥିଲା ଯେତେବେଳେ ଭାରତର ଅଗୋଚରରେ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲା ପାକିସ୍ତାନ ସେନା । ସେଇଠୁ ଆରମ୍ଭ ହୋଇଥିଲେ ଲଢେଇ । ଶେଷରେ ୧୯୯୯ ମସିଆ ଜୁଲାଇ ୨୬ରେ କାର୍ଗିଲର ଉଚ୍ଚ ପାହାଡ ଶୀର୍ଷରେ ତ୍ରିରଙ୍ଗା ଉଡାଇ ଥିଲା ଭାରତ। ତେବେ ଏହି କାର୍ଗିଲ ଯୁଦ୍ଧ ପଛରେ ପାକିସ୍ତାନର କଣ ଉଦ୍ଦେଶ୍ୟ ରହିଥିଲା ଏବଂ କେମିତି ପାକ୍ ସେନା ପରାଜୟ ବରଣ କରିଥିଲେ । ଭାରତକୁ ପାକିସ୍ତାନର ଏହି କାର୍ଗିଲ ଷଡଯନ୍ତ୍ର ବିଷୟରେ କୌଣସି ପତ୍ତା ନଥିଲା । କିଛି ମେଷପାଳକ ଯେତେବେଳେ ସେହି ଅଞ୍ଚଳକୁ ଯାଇଥିଲେ ଏବଂ ଦେଖିଥିଲେ କୌଣସି ଅଜଣା ଲୋକ ଅସ୍ତ୍ରଶସ୍ତ୍ର ଧରି ଭାରତୀୟ ସୀମାରେ ଆଡ୍ଡା ଜମାଇଛନ୍ତି । ସେହିଠାରୁ ମେଷପାଳକ ଆସି ଏହି ସୂଚନା ଭାରତୀୟ ସେନାକୁ ଦେଇଥିଲେ । ଏ ସମ୍ପର୍କରେ ସୂଚନା ପାଇ ସ୍ଥିତିକୁ ନିରୀକ୍ଷଣ କରିବା ପରେ ଭାରତୀୟ ସେନା ବିଜୟ ଅପରେସନ ଆରମ୍ଭ କରିଥିଲେ ।

କିନ୍ତୁ ପାକିସ୍ତାନ ପକ୍ଷରୁ ଏହାର କୌଣସି ଜବାବ ଦିଆଯାଇନଥିଲା । କାରଣ ପାକ୍‌ ଅନ୍ୟ କିଛି ଚାଲ୍ ଚଳାଉଥିଲା । ପାକିସ୍ତାନୀ ସେନାର ତତ୍କଳୀନ ଜେନେରାଲ ପରବେଜ ମୁଶାରଫ ଜାଣିଥିଲେ ଯେ, ସେହି ସମୟରେ ଅତ୍ୟଧିକ ଥଣ୍ଡା ପାଇଁ ଭାରତୀୟ ସେନା ପ୍ରତିଦିନ ପାଟ୍ରୋଲିଂ ପାଇଁ ଯାଆନ୍ତି ନାହିଁ । ଏହାସହିତ ଏହି ଅଞ୍ଚଳ ଜାତୀୟ ରାଜପଥ-୧-ଉର ଖୁବ୍ ନିକଟତର ଅଟେ । ଏହି ରାସ୍ତା ଲଦାଖରୁ କାର୍ଗିଲ, ଶ୍ରୀନଗର ଏବଂ ଦେଶରେ ଅନ୍ୟ ଭାଗକୁ ଯୋଡିଥାଏ । ଏହାସହ ଏହା ସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଯୋଗାଣ ମାର୍ଗ ଅଟେ । ତେଣୁ ଏହି ଅଞ୍ଚଳ ଶତ୍ରୁର କବ୍‌ଜାକୁ ଯିବା ଅର୍ଥ ଯୋଗାଣ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହେବା । ପାକ୍ ସେନା ଥଣ୍ଡା ପାଗ ଓ ଶୂନଶାନ ଅଞ୍ଚଳର ଫାଇଦା ଉଠାଇ ସୀମାରେ ଅନୁପ୍ରବେଶ କରିବାକୁ ଯୋଜନା କରିଥିଲେ । ତାଙ୍କର ପ୍ରଥମ ଲକ୍ଷ୍ୟ ଟାଇଗର ହିଲ୍‌କୁ କବ୍‌ଜା କରିବା ଥିଲା । କିନ୍ତୁ ଭାରତ ନିଜର ବଳ ଦେଖାଇ ୧୮,୦୦୦ ଫୁଟ ଉଚ୍ଚରେ ସ୍ଥିତ ଟାଇଗଲ ହିଲ୍‌କୁ ଜିତି ନେଇଥିଲା ।

ଭାରତୀୟ ସେନା ଅଦ୍ୟମ ସାହସ ଓ ସାମର୍ଥ୍ୟ ସହ ପାକିସ୍ତାନ ସାଙ୍ଗରେ ଦୁଇ ମାସ ପର୍ୟ୍ୟନ୍ତ ଲଢେଇ କରିଥିଲା । ଶେଷରେ ୧୯୯୯ ଜୁଲାଇ ୨୬ରେ କାର୍ଗିଲ ଶିଖରରେ ଉଡିଥିଲା ବିଜୟ ବାନା । ଆଜି ବି ସେ ଦିନ ମନେ ପଡିଲେ ଭାରତୀୟ ଲୋମ ଟାଙ୍କୁରି ଉଠେ ।

Leave A Reply

Your email address will not be published.