ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ଲାଗିରହିଥିବା କୋହଲା ପାଗ ବର୍ତ୍ତମାନ ଛାଡ଼ିଯାଇଛି। ଧୀରେ ଧୀରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରୁ ସୁଷ୍କ ବାୟୁ ପ୍ରବାହିତ ହେଉଛି। ଫଳରେ ରାତିର ତାପମାତ୍ରା କମିଛି। ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ଆଗକୁ ଆହୁରି କମିବା ନେଇ ପାଣିପାଗ ବିଭାଗ ଆକଳନ କରିଛି।
ସେହିପରି ଆସନ୍ତା ୧୪ ତାରିଖ ବେଳକୁ ଫୁଲବାଣୀ, କୋରାପୁଟ ପରି ସହରରେ ରାତିର ତାପମାତ୍ରା ୯ ଡିଗ୍ରି ଏବଂ ରାଜ୍ୟର ଅର୍ଧାଧିକ ସହରର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା ୭ ଦିନ ଯାଏ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ରାତିର ତାପମାତ୍ରା ୨ରୁ ୪ ଡିଗ୍ରି କମିବା ସହ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି କେନ୍ଦୁଝରରେ ୧୧.୫, ଦାରିଙ୍ଗବାଡ଼ିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡ଼ାରେ ୧୩.୨, ବାରିପଦାରେ ୧୪.୨, ଫୁଲବାଣୀରେ ୧୪ ଡିଗ୍ରି ରେକର୍ଡ ହୋଇଛି।