ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଗୁଳ- ସୁକିନ୍ଦା ରେଳ ଲାଇନର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ର ଉଦଘାଟନ କରିଛନ୍ତି । କାମାକ୍ଷାନଗରଠାରେ ରେଳ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ସାଂସଦ ମହେଶ ସାହୁ ଓ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ମଂଚରେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶତୃଘ୍ନ ଜେନା, ମଣ୍ଡଳ ସଭାପତି ବିଭୂତି ପଟ୍ଟନାୟକ ବି ଉପସ୍ଥିତ ଥିଲେ । କିନ୍ତୁ ମଂଚରେ କେବଳ ମନ୍ତ୍ରୀ ଓ ସାଂସଦ ନିଜର ବକ୍ତବ୍ୟ ରଖିଥିବା ବେଳେ ଅନ୍ୟ ମାନଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା ।
ଶେଷ ପର୍ଯ୍ୟାୟରେ ରୁଦ୍ରନାରାୟଣ ପାଣି ନିଜ ଆଡୁ ଯାଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସମୟରେ ସଭା କାର୍ଯ୍ୟ ସରିନଥିବା ବେଳେ ମଂଚରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଓ ସାଂସଦ ମହେଶ ସାହୁ ଓହ୍ଲାଇ ଚାଲିଯାଇଥିଲେ ।
ଏସଂପର୍କରେ ସାଂସଦଙ୍କୁ ପଚାରିବାରୁ ସେ କହିଛନ୍ତି, ରେଳ ବିଭାଗ ତ କାର୍ଯ୍ୟକ୍ରମ କରିଥିଲେ ସେ କାହିଁକି ସେମାନଙ୍କୁ କହିବାର ସୁଯୋଗ ଦେଲେ ନାହିଁ ସେହି ବିଷୟରେ ସେ କହିପାରିବେ । ଯଦି ଡାକିକି ମଂଚରେ ବସାଇବାର ଥିଲା, ତେବେ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ? ମୁଖ୍ୟମନ୍ତ୍ରୀଙ୍କ ଫଟୋ ନ ରହିବା କଥା ମଧ୍ୟ କହିଲେ ସାଂସଦ । ମନ୍ତ୍ରୀ କହିଛନ୍ତି, ସଭା କାର୍ଯ୍ୟ ଶେଷ ହେଲା, କହିସାରିବା ପରେ ମୁଁ ଆସିଥିଲି ।
ପୂର୍ବତନ ସାଂସଦ ରୁଦ୍ରନରାୟଣ ପାଣି ମଂଚକୁ ଡକାଯାଇ କାହିଁକି କହିବାର ସୁଯୋଗ ଦିଆଗଲା ନାହିଁ କହି ବିଷୋଦଗାର କରିଛନ୍ତି ।