ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିଲା ଓଡ଼ିଶା ପ୍ରଦେଶର କୋର କମିଟି ବୈଠକ । ଏହି ବୈଠକରେ ଅନେକଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନକୁ ଆଗାମୀ ଦିନରେ ତୀବ୍ରତର କରାଯିବ। ଏହି ଆନ୍ଦୋଳନକୁ ପଞ୍ଚାୟତସ୍ତରରୁ ଆରମ୍ଭ କରାଯିବ। ଏଥିସହ ସାଂଗଠାନିକ ଅଭିବୃଦ୍ଧି ପାଇଁ ଚେଷ୍ଟା ଜାରି ରହିବ। ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ପଞ୍ଚାୟତସ୍ତରରୁ ଆନ୍ଦୋଳନ ଆରମ୍ଭ ହୋଇଛି ଅସନ୍ତୋଷର ବିସ୍ଫୋରଣ ଗାଆଁ ମାଟିରୁ ଆରମ୍ଭ ହୋଇଛି। ଏହା ରାଜ୍ୟବ୍ୟାପି ପ୍ରସାର ହେବ। ଆସନ୍ତା ୨୨ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ବିଭିନ୍ନ ପ୍ରସଙ୍ଗ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିବ। ଶ୍ରୀ ସାମଲ କହିଛନ୍ତି ଯେ, ଏହି ବୈଠକରେ ଉଜ୍ବଲା ଗ୍ୟାସ୍ରେ ୪୦୦ ଟଙ୍କା ସବସିଡି, ଆହୁରି ୭୫ ଲକ୍ଷ ଲୋକଙ୍କୁ ଏହି ଯୋଜନାରେ ସାମିଲ, ସୌର ଜଗତର ଅନୁଧ୍ୟାନ ପାଇଁ ସୌର ମିସନ, ଜି-୨୦ ଯେଉଁ ବୈଠକ ନେତୃତ୍ୱ ନେଇ ବିଶ୍ଵ ଦରବାରରେ ଭାରତକୁ ପରିଚିତ କରାଇ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରାଗଲା। ସେହିପରି ଚନ୍ଦ୍ରଯାନ-୩ ଓ ଆଦିତ୍ୟ ମିସନ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଅର୍ପଣ କରାଗଲା।
‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଦେଶବ୍ୟାପି ଜାରି ରହିଛି। ଅମୃତ ମହୋତ୍ସବକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଯେଉଁମାନେ ବଳିଦାନ ଦେଇଛନ୍ତି ଓ ସହିଦ ହୋଇଛନ୍ତି ସେମାନଙ୍କ ଘରକୁ ଯାଇ ମାଟି ଆଣିବା ସହ ସେମାନଙ୍କ ଗାଆଁରେ ୭୫ଟି ଲେଖା ଗଛ ଲଗାଯାଉଛି ଓ ଶପଥ ଗ୍ରହଣ କରାଯାଉଛି। ସମସ୍ତଙ୍କ ସହ ସଭା ସମିତି ଓ ଆଲୋଚନା କରାଯାଇଛି। ଅମୃତ ମହୋତ୍ସବର ୭୫ତମ ପୂରଣ ହୋଇଛି। ଏହି ଅବସରରେ, ପ୍ରତ୍ୟକ ସ୍କୁଲରେ ସ୍ମୃତି ଚିହ୍ନ ଲଗାଯିବ। ଏହି ସବୁ କାର୍ଯ୍ୟକୁ ସଠିକ ଭାବେ ତୁଲାଇ ଆଗକୁ ବଢିବା ପାଇଁ ଆମେ ସଂକଳ୍ପ ବଦ୍ଧ ହେଇଛୁ ବୋଲି ଶ୍ରୀ ସାମଲ କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ, ବିଶ୍ଵକର୍ମା ପୂଜା ଆସନ୍ତା ୧୭ ତାରିଖ ଦିନ ପାଳନ କରାଯିବ। ରାଜ୍ୟରେ ୨ଟି ସ୍ଥାନରେ ଏହା କରାଯିବ। ଏହି ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିନ ପାଳନ କରାଯିବ ଓ ୧୮ରେ ସବୁ ଜାଗାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ପୁରା ଦେଶରେ ୨ ଅକ୍ଟୋବର ଅର୍ଥାତ୍ ଗାନ୍ଧୀ ଜୟନ୍ତୀରେ ରେ ସ୍ୱଚ୍ଛ ଭାରତ ଦିବସ ପାଳନ ହେବ। ସମୁଦାୟ ସେପ୍ଟେମ୍ବର ୧ ରୁ ୩୧ ଅକ୍ଟୋବର ଯାଏଁ ୨ ମାସର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ସେପ୍ଟେମ୍ବର ୧-୧୫ ପର୍ଯ୍ୟନ୍ତ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ପାଳନ ହେବ ପରେ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯିବ ଓ ମାସ ତମାମ ବ୍ଲକ ଓ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଜାରି ରହିବ।