ବଢୁଛି ରାତିର ପାରଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ରାଜ୍ୟକୁ ପୁଣି ଫେରିଛି ଘନକୁହୁଡ଼ି । ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରିରଖିଛି । ଘନ କୁହୁଡି ବଳୟରେ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସମେତ ବଡଦାଣ୍ଡ, ସମୁଦ୍ରକୁଳ ଓ ସହରର ସମସ୍ତ ସାହି ଗଳି କନ୍ଦିରେ ଆଜି ସକାଳୁ ଦୁଇଘଣ୍ଟା ଧରି ଘନକୁହୁଡି ଆଚ୍ଛାଦିତ ହୋଇ ରହିଥିଲା। ଆଜି ହଠାତ୍ ସକାଳ ସାତଟା ପରେ ବଡଦାଣ୍ଡରେ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା ।

ଗତ ତିନି ଦିନ ପରି ଗତକାଲି ରାତିରେ ମଧ୍ୟ ଅଧିକାଂଶ ସହରର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ସମ୍ବଲପୁର ସହରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୪.୪ ଡିଗ୍ରି ଅଧିକ ରହିଥିବା ବେଳେ ହୀରାକୁଦ ଓ ବାଲେଶ୍ବରରେ ୩.୪, ଚାନ୍ଦବାଲିରେ ୨.୯, ଟିଟିଲାଗଡ଼ରେ ୨.୮, କଟକରେ ୨.୭, ଭୁବନେଶ୍ବରରେ ୨.୩, ପୁରୀରେ ୨ ଡିଗ୍ରି ଅଧିକ ଥିଲା। ଭୋର ସମୟରେ ଅଧିକ କୁହୁଡ଼ି ଅନୁଭୂତ ହେଉଛି। ରାଉରକେଲାରେ ଦୃଶ୍ୟମାନ ଦୂରତା ୫୦ ମିଟର, ଫୁଲବାଣୀ, ସୋନପୁର, କେନ୍ଦ୍ରାପଡ଼ା, ପାରାଦୀପରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର, କୋରାପୁଟ, ଭବାନୀପାଟଣା, ଝାରସୁଗୁଡ଼ା, କେନ୍ଦୁଝର ଓ ଭୁବନେଶ୍ବରରେ ଦୃଶ୍ୟମାନର ଦୂରତା ୨୦୦ରୁ ୧୦୦୦ ମିଟର ମଧ୍ୟ ରହିଥିଲା।

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ କୁହୁଡ଼ିର ପ୍ରକୋପ ଜାରି ରହିବ। ସ୍ଥାନେ ସ୍ଥାନେ ଘନ କୁହୁଡ଼ି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନ୍ୟପକ୍ଷରେ କୋରାପୁଟ ପାହାଡ଼ିଆ ଅଞ୍ଚଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ୮.୫, ସେମିଳିଗୁଡ଼ାରେ ୯, ଫୁଲବାଣୀରେ ୧୦, ଜି ଉଦୟଗିରିରେ ୧୦.୪, ସୋନପୁରରେ ୧୦.୬, ଡିଗ୍ରି ରହିଥିଲା।

Leave A Reply

Your email address will not be published.