ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୁନିଆକୁ ଅଲବିଦା କହିଲେ ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂହ । ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି। ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍ନି ବାଟ୍, ଜ୍ୟୋତି, ହିଟଲର ଦିଦି, ଶପଥ, ଆହାଟ୍ ଔର ଅଦାଲତ, ଦିୟା ଅର ବାତି ହମ୍ ଭଳି ଅନେକ ଭାରତୀୟ ଟିଭି ଶୋ’ରେ ସେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। କିଛି ସମୟ ପୂର୍ବରୁ ସେ ଅଗ୍ନାଶୟ ସମ୍ଵନ୍ଧୀତ ସମସ୍ୟାରେ ପଡିତ ଥିଲେ। ଏହାରି ଭିତରେ ଅଭିନେତାଙ୍କର ହଠାତ୍ ହୃଦ୍ଘାତ ହୋଇଥିଲା । ତାଙ୍କ ଦେହାନ୍ତ ହେବାର ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ସୂଚନା ଅନୁସାରେ, ଅଭିନେତା ଗତ କିଛି ଦିନ ଧରି ଅଗ୍ନାଶୟ ରୋଗରେ ପୀଡିତ ଥିଲେ ଏବଂ ଚିକିତ୍ସିତ ମଧ୍ୟ ହେଉଥିଲେ । ତାଙ୍କ ବନ୍ଧୁ ଅମିତ ବହଲ ଅଭିନେତାଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଋତୁରାଜ ହୃଦ୍ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି । ଅଗ୍ନାଶୟ ଚିକିତ୍ସା ପାଇଁ ତାଙ୍କୁ କିଛି ସମୟ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇ ଘରକୁ ଫେରିଥିଲେ । କିନ୍ତୁ ହୃଦ୍ରୋଗ ଜନିତ ଜଟିଳତା ଯୋଗୁଁ ଗତକାଲି (ସୋମବାର) ରାତିରେ ତାଙ୍କର ମୃତ୍ୟୁ ହୋଇଛି ।
ଅନେକ ଟିଭି ଶୋ’ ସମେତ ଅନେକ ଫିଲ୍ମ ଏବଂ ଓଟିଟି ଶୋ’ରେ କାମ କରିଛନ୍ତି ଋତୁରାଜ ସିଂହ । ନିକଟରେ ତାଙ୍କୁ ରୂପାଲି ଗାଙ୍ଗୁଲି ଫେମ ଷ୍ଟାରପ୍ଲସର ଲୋକପ୍ରିୟ ଶୋ’ ‘ଅନୁପମା’ରେ ଦେଖିବାକୁ ମିଳିଥିଲା । ୯୦ ଦଶକରେ ଜି ଟିଭିରେ ରିଆଲିଟି ଗେମ୍ ଶୋ ‘ତାଲ୍ ମୋଲ୍ କେ ବୋଲ୍’ରେ ଉପସ୍ଥାପକ ଭାବେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଋତୁରାଜ ।