ଚଳିତ ମାସ ରାଷ୍ଟ୍ରପତି ଦୁଇଥର ଓଡ଼ିଶା ଆସିବେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନକ ପରେ ଅର୍ଥାତ୍ ନଭେମ୍ବର ୨୦ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଇରଙ୍ଗପୁରର ବାଦାମପାହାଡ଼ ଠାରେ ଟାଟା- ବାଦାମପାହାଡ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିବାରୁ ଷ୍ଟେସନଟିକୁ ସୁନ୍ଦର ଭାବରେ ସଜେଇ ଦିଆଯାଇଛି। ରେଲୱେର ବରିଷ୍ଠ ଅଧିକାରୀ ମାନେ ଘନ ଘନ ପରିଦର୍ଶନ କରି ସମୀକ୍ଷା କରୁଛନ୍ତି।

ଚଳିତ ମାସ ୨୧ ତାରିଖରେ ‌ଭାରତୀୟ ରେଳବାଇର ଚକ୍ରଧରପୁର ମଣ୍ଡଳର ବାଦାମପାହାଡ଼ ରେଳ ‌ଷ୍ଟେସନ(ଓଡ଼ିଶା)ରୁ ୧୯୩୨ ମସିହା ପରେ ପ୍ରଥମ ଥର ପାଇଁ କୋଲକାତା-ରାଉରକେଲା ପାଇଁ ମେଲ୍‌ ଓ ଏକ୍ସପ୍ରେସ୍‌ ଟ୍ରେନର ଚଳାଚଳ ଆରମ୍ଭ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଦାମପାହାଡ଼ ରେଳ ଷ୍ଟେସନରୁ ସବୁଜ ପତାକା ଦେଖାଇ ୩ଟି ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏଥିରୁ ସେ ଗୋଟିଏ ଟ୍ରେନ୍‌(ବାଦାମପାହାଡ଼-କୋଲକାତା)ର ଏସି-୧ କୋଚ୍‌ରେ ପାଖାପାଖି ୩୨ କିଲୋମିଟର ଯାତ୍ରା କରିବେ।ରାଷ୍ଟ୍ରପତିଙ୍କ ଯାତ୍ରା କରିବା ଟ୍ରେନ୍‌ରେ ସମସ୍ତ ପ୍ରୋ‌ଟୋକଲ୍‌ ଅନ୍ତର୍ଗତ ଅତ୍ୟାଧୁନିକ ସୁବିଧା ଓ ସୁରକ୍ଷାର କଡ଼ା ବନ୍ଦୋବସ୍ତ ରହିବ। ସେହିପରି ପାହାଡପୁରଠାରେ ନିର୍ମିତ SLS ବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। ଏଥିସହ ଏଲ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ରର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଚଳିତ ମାସ ରାଷ୍ଟ୍ରପତି ଦୁଇଥର ଓଡ଼ିଶା ଆସିବେ। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୬ରୁ ୨୭ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି। ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚଳିତମାସ ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ୩ଦିନ ମୟୂରଭଞ୍ଜ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ପୁଣିଥରେ ନଭେମ୍ବର ୨୬ତାରିଖ ଅପରାହ୍ୱରେ ଭୁବନେଶ୍ୱରରେ ପହଂଚି ୨୭ତାରିଖରେ ପାରାଦୀପ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Leave A Reply

Your email address will not be published.