ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଜହ୍ନରେ ପାଦ ଥାପିଛି ଭାରତ । ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି ଭାରତ । ସାରା ବିଶ୍ୱରୁ ଭାରତକୁ ଛୁଟୁଛି ପ୍ରଶଂସାର ସୁଅ । ଏଥପାଇଁ ପ୍ରତ୍ୟେକଟି ଭାରତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଛି। ଗତକାଲି ଚନ୍ଦ୍ରଯାନ-୩ ଜନ୍ମ ମାମୁରେ ପାଦ ଥାପିଥିବା ବେଳେ ଆଜି ବିଚରଣ କରିବା ଆରମ୍ଭ କରିଛି। ଲ୍ୟାଣ୍ଡର୍ ବିକ୍ରମଠୁ ଗତକାଲିଠୁ ଅଲଗା ହୋଇଥିବା ରୋଭର ପ୍ରଜ୍ଞାନ ଜହ୍ନରେ ଚାଲିବା ଆରମ୍ଭ କରିଥିବା ନେଇ ଟ୍ୱିଟ କରି ସୂଚନା ଦେଇଛି ଇସ୍ରୋ । ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ ।
କାରଣ ଚନ୍ଦ୍ରର ଦକ୍ଷିଣ ମେରୁରେ ୧୪ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟ କିରଣ ପଡ଼ିବ। ୧୪ ଦିନ ପରେ ଲାଣ୍ଡର୍ ଓ ରୋଭର୍ ଶକ୍ତି ହରାଇବାର ସମ୍ଭାବନା ରହିଛି। ଏହି ୧୪ ଦିନରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ କେତେଗୁଡ଼ିଏ ପରୀକ୍ଷାନିରୀକ୍ଷା କରି ସେ ସଂକ୍ରାନ୍ତ ତଥ୍ୟାବଳି ଲାଣ୍ଡର୍କୁ ପଠାଇବ। ଚନ୍ଦ୍ରପୃଷ୍ଠରେ ବଡ଼ ବଡ଼ ଗର୍ତ୍ତ ଅଛି। ଏହାର ଅର୍ଥ ସେଠାରେ ପାଣି ଥାଇପାରେ। ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା। ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ। ଏହା ସହିତ ପାଣି ରହିଛି ମାନେ ହାଇଡ୍ରୋଜେନ ଓ ଅକ୍ସିଜେନ ଅଛି। ଏହାକୁ ନେଇ ଅନେକ ବୈଜ୍ଞାନିକ ଗବେଷଣା କରାଯାଇପାରେ।
ଚନ୍ଦ୍ରର ବାୟୁମଣ୍ଡଳରେ କଦଣ କ’ଣ ଉପାଦାନ ଅଛି, ତାର ତଥ୍ୟ ସଂଗ୍ରହ କରିବ ବିକ୍ରମର ପ୍ଲେଲୋଡ୍। ଏହା ସହିତ ଚନ୍ଦ୍ରପୃଷ୍ଠର ପ୍ଲାଜମାର ସାନ୍ଦ୍ରତା ମଧ୍ୟ ମାପିବ । ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କିତ ତଥ୍ୟ ସଂଗ୍ରହ ମଧ୍ୟ କରିବ । ଏସବୁ ସହିତ ଭୂଚଳନ, ଚନ୍ଦ୍ରର ଆଭ୍ୟନ୍ତରୀଣର ଗଠନ କେମିତି ହୋଇଛି, ତାହା ମଧ୍ୟ ଗବେଷଣା କରି ଜଣାଇବ ଲ୍ୟାଣ୍ଡର।
ସୂଚନାଥାଉକି, ଗତକାଲି ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର ରହିଛି। ଲାଣ୍ଡର୍ ‘ବିକ୍ରମ’ର ରାମ୍ପ୍ ବାଟେ ବାହାରକୁ ଆସି ରୋଭର୍ ‘ପ୍ରଜ୍ଞାନ’ ଏବେ ଚନ୍ଦ୍ରପୃଷ୍ଠରେ ଚାଲୁଥିବା କଥା ‘ଇସ୍ରୋ’ ସୂଚନା ଦେଇଛି ।
ସୂଚନାଥାଉକି, ବୁଧବାର ସନ୍ଧ୍ୟା ୬.୦୪ରେ ସଫଳତାର ସହିତ ଅବତରଣ କରିବା ପରେ ଏହା ହେଉଛି ‘ଚନ୍ଦ୍ରଯାନ-୩’ର ପ୍ରଥମ ପରବର୍ତ୍ତୀ ଘଟଣା। ଖୁବ୍ ଶୀଘ୍ର ବାକି ସଦ୍ୟ ସୂଚନା ପ୍ରଦାନ କରାଯିବ। ଗତ ସନ୍ଧ୍ୟାରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରପୃଷ୍ଠ ଅବତରଣ ସମୟରେ ସେ ଅଞ୍ଚଳରେ ପ୍ରବଳ ଧୂଳି ଉଡ଼ିଥିଲା। ଧୂଳି ଚନ୍ଦ୍ରପୃଷ୍ଠରେ ବସିଯିବା ପରେ ଲାଣ୍ଡର୍ ବିକ୍ରମର ଅଭ୍ୟନ୍ତରରେ ବା ପେଟ ଭିତରେ ସୁରକ୍ଷିତ ଥିବା ରୋଭର୍ ପ୍ରଜ୍ଞାନ ଚଳପ୍ରଚଳ ଆରମ୍ଭ କରି ସେଥିରୁ ପଦାକୁ ବାହାରି ଆସିଲା। ବିକ୍ରମରୁ ପ୍ରଜ୍ଞାନ ବାହାରକୁ ଆସୁଥିବାର ଦୃଶ୍ୟ ଥିବା ପ୍ରଥମ ଫଟୋ ସେୟାର୍ କରିଥିଲେ ‘ଇଣ୍ଡିଆନ୍ ନ୍ୟାସ୍ନାଲ୍ ସ୍ପେସ୍ ପ୍ରମୋସନ୍ ଆଣ୍ଡ୍ ଅଥରାଇଜେସନ୍ ସେଣ୍ଟର୍’ର ଅଧ୍ୟକ୍ଷ ପବନ ଗୋଏଙ୍କା।